Thursday, May 2, 2024

"ଟ୍ରୋଜାନ୍ ହର୍ସ"

ସନ୍ଦୀପ ସାହୁ

ଆମ ଓଡ଼ିଶାରେ କିଛି "ଦୂରଦୃଷ୍ଟିସମ୍ପନ୍ନ" ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ଦିନ ଆରମ୍ଭ ଓ ଶେଷ ହୁଏ ସାମାଜିକ ଗଣମାଧ୍ୟମରେ ମୋଦୀ/ବିଜେପି/ସଂଘକୁ ଗାଳି ଦେବାରେ । ସାରା ଭାରତରେ ଏଇ ତ୍ରିମୂର୍ତ୍ତି କଣ କଲେ ନ କଲେ, କଣ କହିଲେ ନ କହିଲେ, କିଛି ବି ଏମାନଙ୍କ ଦୃଷ୍ଟିରୁ କି ଏମାନଙ୍କ ଶାଣିତ ଆକ୍ରମଣରୁ ବାଦ୍ ପଡ଼େନାହିଁ । ମୋଦୀ ସରକାର କେମିତି ଦେଶରେ ଗଣତନ୍ତ୍ରକୁ କବର ଦେବାରେ ଲାଗି ପଡ଼ିଛି; ବିରୋଧୀ ଦଳ ଓ ନେତାଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କୁ କେମିତି ଅପବ୍ୟବହାର କରି ଚାଲିଛି; ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ କେମିତି ଲାଗି ପଡ଼ିଛି; ପୁଞ୍ଜିପତିଙ୍କ ପାଖରେ ଦେଶକୁ କେମିତି ବନ୍ଧା ପକେଇ ଦେଇଛି, ସେମାନଙ୍କୁ ଲକ୍ଷ ଲକ୍ଷ କୋଟି ଋଣ ଛାଡ଼ କରିଛି; ଯାବତୀୟ ଦୁର୍ନୀତିରେ ଲିପ୍ତ ଅଛି; ଧର୍ମୀୟ ଆଧାରରେ ଦେଶକୁ ବାଣ୍ଟି, ସମ୍ବିଧାନ ସଂଶୋଧନ କରି ଦେଶକୁ ଏକ ହିନ୍ଦୁ ରାଷ୍ଟ୍ର କରିବାକୁ ଚେଷ୍ଟା ଚଳାଇଛି - ଏସବୁ କିଛି ବି ଏମାନଙ୍କ ଆଖିରୁ ବାଦ ପଡ଼େ ନାହିଁ କି ଏମାନଙ୍କ ଶାଣିତ ଆକ୍ରମଣରୁ ବର୍ତ୍ତି ପାରେନାହିଁ । 

ଏକଥା ଅବଶ୍ୟ ସତ ଯେ ଏମାନେ ଆଣୁଥିବା ଅଧିକାଂଶ ଅଭିଯୋଗ ଅନେକ ସମୟରେ ସତ୍ୟ ଉପରେ ଆଧାରିତ । କିନ୍ତୁ କୌତୁହଳର ବିଷୟ ହେଉଛି ନିଜ ବାରିପଟେ, ପାଖ ଆଖରେ, ନିଜ ଗାଁ, ନିଜ ଜିଲ୍ଲା, ନିଜ ସହର, ନିଜ ରାଜ୍ୟରେ କଣ ହେଉଛି - ଗଣତନ୍ତ୍ର କେମିତି ପ୍ରତି ମୁହୂର୍ତ୍ତରେ ଭୁଲୁଣ୍ଠିତ ହେଉଛି; ଵାକ୍ ସ୍ଵାଧୀନତା କେମିତି ବିପନ୍ନ ହେଉଛି; ଗଣମାଧ୍ୟମ ଉପରେ କେମିତି ଗୋଟିଏ ପରେ ଗୋଟିଏ ଅଙ୍କୁଶ ଲଗା ଯାଉଛି; କ୍ଷମତାର ଅହଙ୍କାର/ସ୍ୱେଚ୍ଛାଚାରିତା କେମିତି ବଢ଼ି ବଢ଼ି ଚାଲିଛି; ମିଥ୍ୟା ପ୍ରଚାର/ ଅପପ୍ରଚାର ଜରିଆରେ ପ୍ରତିଦିନ ଲୋକଙ୍କୁ କେମିତି ଭୁଆଁ ବୁଲା ଯାଉଛି; ପୁଞ୍ଜିପତି, ଖଣି ମାଫିଆଙ୍କ ହାତରେ କେମିତି ରାଜ୍ୟକୁ ଟେକି ଦିଆ ଯାଉଛି; ଗରିବ, ଆଦିବାସୀ, ଦଳିତ, କେମିତି ଶୋଷିତ, ନିଷ୍ପେସିତ, ଅତ୍ୟାଚାରିତ ହେଉଛନ୍ତି, ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି; ମହିଳା ବିରୋଧୀ ହିଂସା କେମିତି ବଢ଼ି ବଢ଼ି ଚାଲିଛି; ଭାଷା ଓ ସଂସ୍କୃତି କେମିତି ଚରମ ସଙ୍କଟରେ ପଡ଼ିଛି - ଏସବୁ କେବେ ବି ଏମାନଙ୍କ ଆଖିରେ ପଡ଼େ ନାହିଁ । ଆଖିରେ ପଡ଼େ ନାହିଁ କହିଲେ ଭୁଲ୍ ହେବ; ଏସବୁ ତାଙ୍କ ଦୃଷ୍ଟିରେ ପଡ଼ିଲେ ବି ସେମାନେ ଆଖି ବୁଜି ଦିଅନ୍ତି । ଏସବୁ କଥା ବିଷୟରେ ଏମାନେ କେବେ ପଦୁଟିଏ କହିବାର ଶୁଣାଯାଏ ନାହିଁ । 

ତେବେ ଏମାନେ ପ୍ରକୃତରେ କିଏ ? ଗଣତନ୍ତ୍ର, ବାକ ସ୍ଵାଧୀନତା ପ୍ରତି ପ୍ରତିବଦ୍ଧ ତଥା ଦୁର୍ନୀତି, ସ୍ଵେଚ୍ଛାଚାର, ଧର୍ମାନ୍ଧତା ବିରୁଦ୍ଧରେ ମୁହଁ ଖୋଲୁଥିବା, ସଂଗ୍ରାମ କରୁଥିବା ଗଣତନ୍ତ୍ରପ୍ରେମୀ, ସ୍ଵାଧୀନଚେତା ଚିନ୍ତାନାୟକ ନା ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ଓ ସରକାରଙ୍କ ନିକଟରେ ନିଜକୁ ବନ୍ଧା ପକାଇଥିବା ଛଦ୍ମବେଶୀ "ଟ୍ରୋଜାନ ହର୍ସ" ? ଆପଣ ଯଦି ଏ ପୋଷ୍ଟ ପଢ଼ୁଛନ୍ତି, ତେବେ ଟିକିଏ ଚିନ୍ତାକଲେ ଏମାନଙ୍କ ଭିତରୁ ଅନେକଙ୍କ ଚେହେରା ଓ ସେମାନଙ୍କ ପୋଷ୍ଟ ଆପଣଙ୍କୁ ଜଳଜଳ ଦେଖାଯିବ !!

ବି: ଦ୍ର: ଆପଣମାନଙ୍କ ମଧ୍ୟରୁ ଯେଉଁମାନେ "ଟ୍ରୋଜାନ ହର୍ସ" ସମ୍ପର୍କରେ ଜାଣି ନାହାଁନ୍ତି, ସେମାନଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛି ଯେ ଗ୍ରୀକ୍ କିମ୍ବଦନ୍ତୀ ଅନୁଯାୟୀ ଏହା ହେଉଛି କାଠରେ ନିର୍ମିତ ଏକ ଅତିକାୟ ଘୋଡ଼ା, ଯାହାକୁ ବ୍ୟବହାର କରି ଗ୍ରୀକ୍ ସେନା ଟ୍ରୟ ନାମକ ସହରକୁ ଅକ୍ତିଆର କରିଥିଲା । ବିଖ୍ୟାତ ଗ୍ରୀକ୍ ଲେଖକ ଭର୍ଜିଲଙ୍କ "ଏନିଡ" ପୁସ୍ତକର ବର୍ଣ୍ଣନା ଅନୁଯାୟୀ ଦଶ ବର୍ଷ ଧରି ଟ୍ରୟରେ ପ୍ରବେଶ କରି ସହରକୁ ନିଜ ଅଧୀନକୁ ଆଣିବା ପାଇଁ ଚେଷ୍ଟା କରି ବିଫଳ ହେଲାପରେ ଗ୍ରୀକ୍ ସେନାପତି ଓଡିସିଅସଙ୍କ ନିର୍ଦ୍ଦେଶରେ ଏକ ପ୍ରକାଣ୍ଡ କାଠ ଘୋଡ଼ା ନିର୍ମାଣ କରାଗଲା, ଯେଉଁଥିରେ ନିଜେ ଓଡିସିଅସ ଓ ତାଙ୍କର ବଛା ବଛା ସୈନ୍ୟମାନେ ପଶି ଆତ୍ମଗୋପନ କଲେ । ଅନ୍ୟ ଗ୍ରୀକ୍ ସୈନିକ ମାନେ ଟ୍ରୟ ଛାଡ଼ି ଚାଲି ଯିବାର ଛଳନା କଲେ । କିନ୍ତୁ ସାଇନନ୍ ନାମକ ଜଣେ ସେନାପତିଙ୍କୁ ଛାଡ଼ି ଗଲେ । ସାଇନନ୍ ଟ୍ରୟକୁ ରକ୍ଷା କରିବାରେ ନିୟୋଜିତ ଟ୍ରୋଜାନ୍ ସୈନ୍ୟ ମାନଙ୍କୁ ବୁଝାଇ ଦେଲେ ଯେ ଏହି ଘୋଡ଼ା ଯୁଦ୍ଧର ଦେବୀ ଏଥେନାଙ୍କୁ ଅର୍ଘ୍ୟ ପାଇଁ ଉଦ୍ଦିଷ୍ଟ ଓ ଏହା ଦେବୀଙ୍କୁ ଅର୍ପଣ କଲାପରେ ଟ୍ରୟ ଏକ ଅଭେଦ୍ୟ ଦୁର୍ଗ ପାଲଟି ଯିବ । ଯୁଦ୍ଧରେ ବିଜୟ ଲାଭ କଲେ ବୋଲି ଭାବି ଟ୍ରୋଜାନ ମାନେ ପରମ ଉଲ୍ଲାସରେ ଘୋଡ଼ାଟିକୁ ଟାଣି ଟାଣି ସହର ଭିତରକୁ ନେଇଗଲେ । ମଧ୍ୟ ରାତ୍ରିରେ ଘୋଡ଼ା ଭିତରେ ଲୁଚି ରହିଥିବା ଗ୍ରୀକ୍ ସୈନିକ ବାହାରକୁ ଆସି ସହରର ମୁଖ୍ୟ ଦ୍ଵାର ଖୋଲିଦେଲେ ଏବଂ ପଳାୟନ କରିବାର ଛଳନା କରିଥିବା ଗ୍ରୀକ୍ ସୈନ୍ୟ ସହର ମଧ୍ୟକୁ ପଶି ଅନାୟାସରେ ଟ୍ରୟ ଦଖଲ କରିନେଲେ ! ]


No comments: