Thursday, August 1, 2024

"ଯାହାକୁ ମାରିବେ ଅନନ୍ତ" !!

 ସନ୍ଦୀପ ସାହୁ 

"ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ?" କଥାଟି ଆପଣମାନେ ନିଶ୍ଚୟ ଶୁଣିଥିବେ; ଏହାର ଉଦାହରଣ ଦେଖି ଥିବେ । ହୁଏତ ଏ ଆପ୍ତବାକ୍ୟଟି ଆପଣ କେବେ କେମିତି ବ୍ୟବହାର ବି କରିଥିବେ । କିନ୍ତୁ ସୋମବାର ଦିନ ବିଳମ୍ବିତ ରାତିରେ (ବା ମଙ୍ଗଳବାର ବଡ଼ି ଭୋରରେ) ରାଜଖରସୁଆଁ (ଯେଉଁ ଷ୍ଟେସନରେ ଓହ୍ଲାଇ ମୁଁ ମୋ ଜନ୍ମଭୂମି ଖରସୁଆଁ ଯାଏ) ଷ୍ଟେସନ ଠାରୁ କିଛି ଦୂରରେ ହୋଇଥିବା ଟ୍ରେନ ଦୁର୍ଘଟଣାଟି ପ୍ରମାଣ କରିଦେଲା ଯେ "ଯାହାକୁ ରଖିବେ ଅନନ୍ତ ..." କଥାଟି ଯେତିକି ସତ, "ଯାହାକୁ ମାରିବେ ଅନନ୍ତ, କି କରିପାରେ ବଳବନ୍ତ?" କଥାଟି ମଧ୍ୟ ସେତିକି ସତ ।

ଲାଇନଚ୍ୟୁତ ହୋଇଥିବା ଏକ ମାଲଗାଡ଼ିର ଗୋଟିଏ ବଗି ସହ ଧକ୍କା ହେଲାପରେ ହାୱଡା-ମୁମ୍ବାଇ ମେଲର ୧୭ଟି ବଗି ଲାଇନଚ୍ୟୁତ ହେଲା । ଗଭୀର ନିଦ୍ରାରେ ଥିବା ଅନେକ ଯାତ୍ରୀ ଆହତ ହେଲେ । କିନ୍ତୁ ମୃତ୍ୟୁ ବରଣ କଲେ ମାତ୍ର ଦୁଇଜଣ; ୩୪ ବର୍ଷୀୟ ଅଜିତ ସାମଲ ଓ  ୨୭ ବର୍ଷୀୟ ପି. ବିକାଶ ରାଓ । ସଂଯୋଗ ଦେଖନ୍ତୁ ! ଯେଉଁ ଦୁଇଜଣ ପ୍ରାଣ ହରାଇଲେ, ସେ ଦୁହେଁ ଓଡ଼ିଶାର ଓ ତା ପୁଣି ଗୋଟିଏ ସହର (ରାଉରକେଲା)ର ବାସିନ୍ଦା । ସଂଯୋଗ କେବଳ ସେତିକିରେ ସରୁନି । ଦୁହେଁ ପୁଣି ଏକା ନିର୍ମାଣ ସଂସ୍ଥା ପାଇଁ କାମ କରୁଥିଲେ । ଦୁହେଁ ସାଙ୍ଗ ହୋଇ ଜାମସେଦପୁରରୁ ରାଉରକେଲା ଫେରୁଥିଲେ । କିନ୍ତୁ ଯେଉଁ ଟ୍ରେନରେ ସେମାନେ ଫେରିବା କଥା, ସେ ଟ୍ରେନ ଫେଲ ହେଇଗଲେ ଓ ଅଗତ୍ୟା ଅଭିଶପ୍ତ ଟ୍ରେନଟିରେ ବସିବାକୁ ବାଧ୍ୟ ହେଲେ । ସେମାନେ କେମିତି ବା ଜାଣିଥାନ୍ତେ ମୃତ୍ୟୁ ସେ ଦୁହିଁଙ୍କୁ ହାତଠାରି ଡାକୁଥିଲା ଟ୍ରେନ ରୂପରେ ? 

ଦୁହିଁଙ୍କ ମଧ୍ୟରୁ ଜଣେ - ଅଜିତ - ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ ନିଜ ପରିବାର ଲୋକଙ୍କ ସହ କଥା ହେଇଥିଲେ । ସେମାନଙ୍କୁ କହିଥିଲେ ଯେ ସେ ଯେଉଁ ଟ୍ରେନରେ ଅପେକ୍ଷା କରିଥିଲେ, ସେ ଟ୍ରେନ ଫେଲ୍ ହୋଇଗଲେ ଓ ପରବର୍ତ୍ତୀ ଟ୍ରେନରେ ଫେରିବା ପାଇଁ ଜାମସେଦପୁର ଷ୍ଟେସନରେ ଅପେକ୍ଷା କରିଛନ୍ତି । ଚିନ୍ତା କରନ୍ତୁ । ପରଦିନ ସକାଳେ ଯେତେବେଳେ ସେମାନେ ଜାଣିଥିବେ ଯେ ଯେଉଁ ଟ୍ରେନରେ ଅଜିତ ଆସୁଥିଲେ ସେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ଅଜିତ ସେଥିରେ ପ୍ରାଣ ହରାଇଛନ୍ତି, କଣ ହେଇଥିବ ସେମାନଙ୍କ ମାନସିକ ଅବସ୍ଥା ! କଣ ହେଇଥିବ ବିକାଶଙ୍କ ବୁଢ଼ୀ ମା ଓ ବଡ଼ ଭାଇଙ୍କ ଅବସ୍ଥା ଯେତେବେଳେ ସେମାନେ ଜାଣିଥିବେ ଯେ ଅବିବାହିତ ରୋଜଗାରିଆ ପୁଅ ବିକାଶଙ୍କର ଅକାଳ ମୃତ୍ୟୁ ଘଟିଛି !!

ସେଇ ଟ୍ରେନରେ ସେଇ ଏକା ରାତିରେ ଆଉ ଦୁଇଟି ଘଟଣା ବି ଘଟିଥିଲା, ଯାହା ମୂଳ ପ୍ରଚଳିତ କଥା - "ଯାହାକୁ ରଖିବେ ଅନନ୍ତ" - ଟିକୁ ପ୍ରମାଣ କଲା । ଭଦ୍ରକ ନିବାସୀ ଷ୍ଟାଲିନ୍ ଦାସ ନିଜର ଦୁଇ ସହଯୋଗୀ - ଯୋଗେଶ ତିୱାରୀ ଓ ଗିରିରାଜ ଚନ୍ଦ୍ର - ଙ୍କ ସହ ସେଇ ଟ୍ରେନରେ ଜାମସେଦପୁରରୁ ଛତିଶଗଡ଼ର ଚାମ୍ପାଠାରେ ସ୍ଥିତ ନିଜ କର୍ମକ୍ଷେତ୍ରକୁ ଫେରିବାର ଥିଲା । କିନ୍ତୁ ଜାମସେଦପୁରରେ ଆଉ ଦିନଟିଏ ରହିଯିବା ପାଇଁ କିଛି ବନ୍ଧୁଙ୍କ ଅନୁରୋଧ ଭାଙ୍ଗି ନ ପାରି ଶେଷ ମୁହୂର୍ତ୍ତରେ ସେ ନିଜ ଟିକଟ ବାତିଲ କଲେ । ତାଙ୍କର ଦୁଇ ସହଯୋଗୀ କିନ୍ତୁ ଟ୍ରେନରେ ବସିଲେ; ଲାଇନଚ୍ୟୁତ ହୋଇଥିବା ୧୭ ବଗି ଭିତରୁ ଗୋଟିକରେ । କିନ୍ତୁ ସେମାନେ ସାମାନ୍ୟ ଆହତ ହେଲେ କେବଳ ।

ରାଉରକେଲାର ଆଉ ଜଣେ ବ୍ୟକ୍ତି - ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ସୌମେନ୍ ମୁଖର୍ଜୀ - ସେଇ ଅଭିଶପ୍ତ ଟ୍ରେନରେ ଫେରିବାର ଥିଲା । କିନ୍ତୁ ଦିନ ସାରା ନିଜ ପୁଅର ବିବାହ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରି ଭୀଷଣ କ୍ଳାନ୍ତ ହୋଇ ପଡ଼ିଥିବା ସୌମେନ୍ ଖରାବେଳେ ଖାଇସାରି ଏତେ ଗଭୀର ନିଦ୍ରାରେ ଶୋଇ ପଡ଼ିଲେ ଯେ ତାଙ୍କ ନିଦ ପରଦିନ ସକାଳେ - ଅର୍ଥାତ୍ ଦୁର୍ଘଟଣା ଘଟିବାର କିଛି ଘଣ୍ଟା ପରେ - ହିଁ ଭାଙ୍ଗିଲା; ସେ ଆଉ ୧୨୮୧୦ ନମ୍ୱର୍ ଟ୍ରେନରେ ବସି ପାରିଲେ ନାହିଁ । ଏବଂ ହୁଏତ ସେଇଥିପାଇଁ ବଞ୍ଚିଗଲେ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ । 

ଉପରୋକ୍ତ ଦୁଇ ଘଟଣା ବିଷୟରେ ପଢ଼ିଲା ବେଳେ ବହୁଦିନ ତଳର ଏକ ପ୍ରତ୍ୟକ୍ଷ ଅନୁଭୂତି କଥା ମନେ ପଡ଼ିଗଲା । ମୋର ସ୍ନାତକ ଶିକ୍ଷା ବେଳର କଥା ଇଏ । କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରୁ ବସ ଧରି ରାଉରକେଲା ଯିବାର ଥାଏ (ସେତେବେଳେ ଅନେକ ବସ୍ ଜାତୀୟ ରାଜପଥ ନମ୍ୱର୍ ୬ ଦେଇ ରାଉରକେଲା ଯାଉଥାଏ) । ଦେଖିଲି ଗୋଟିଏ ବସ୍ ଲାଗିଚି । ବସରେ ଚଢ଼ି ଗୋଟିଏ ଆଗ ସିଟ ଧରି ବସିଗଲି । କିନ୍ତୁ କିଛି ସମୟ ବସିଲା ପରେ ଦେଖିଲି ଗାଡ଼ି ଛାଡ଼ିବାକୁ ଡେରି ଅଛି । ଚା ଟିକେ (ଓ ତା ସହ ଧୂଆଁ ଟିକେ) ପିଇବାକୁ ମନ ହେଲା । ବସରୁ ଓହ୍ଲାଇ ପଡ଼ିଲି; ଚା ପିଇଲି, ସିଗାରେଟ ଫୁଙ୍କିଲି ଓ ତାପରେ ଫେରିଲା ବେଳକୁ ଦେଖେ ତ ଯେଉଁ ବସରେ ବସିଥିଲି ସେ ଛାଡ଼ିବ ଛାଡ଼ିବ ହଉଚି; ସିଟ ସବୁ ଅକ୍ତିଆର ହେଇ ଯାଇଚି । (ମୁଁ ବସିଥିବା ସିଟରେ ରୁମାଲ କି ବ୍ୟାଗ୍ ଥୋଇ ନ ଥିଲି 😊) । ଅଗତ୍ୟା ସେ ବସରେ ଆଉ ଚଢ଼ିଲି ନାହିଁ । ୧୫/୨୦ ମିନିଟ ପରେ ଛାଡ଼ୁଥିବା ଅନ୍ୟ ଏକ ବସରେ ବସିଗଲି । 

ବିଳମ୍ବିତ ରାତିରେ (ପ୍ରାୟ ସେଇ ସମୟରେ ଯେତେବେଳେ ସୋମବାର ରାତିରେ ଟ୍ରେନ ଦୁର୍ଘଟଣାଟି ଘଟିଲା) ହଠାତ୍ ମୁଁ ବସିଥିବା ବସ୍ ଟି ଏମିତି ଏକ ସ୍ଥାନରେ ରହିଗଲା ଯାହା ତାର ନିୟମିତ ରହଣିସ୍ଥଳ ସୂଚୀରେ ନ ଥିଲା । ଯେହେତୁ ସେ ରାସ୍ତା ସହିତ ମୋର ବେଶ ଭଲ ପରିଚିତି ଥିଲା, ତେଣୁ ମୁଁ ଜାଣି ପାରୁଥିଲି ଯେ ବସଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିଲା । ବାହାରେ କିଟିକିଟି ସାନ୍ଧ୍ର ଅନ୍ଧାର । କିନ୍ତୁ ତାହାରି ଭିତରେ ଶୁଭୁଚି କୋଳାହଳ । ତଳକୁ ଗଲି ଓ ଜାଣିଲି ଯେ କିଛି ସମୟ ପୂର୍ବରୁ ଆସୁଥିବା ଏକ ସରକାରୀ ବସ୍ ଘାଟି ତଳକୁ ଖସି ପଡ଼ିଛି । ଆଖ ପାଖ ଅଞ୍ଚଳର କିଛି ଲୋକ ଧାଇଁ ଆସି ପ୍ରାଥମିକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କିଛି ସମୟ ଭିତରେ ପୋଲିସ, ଦମକଳ ଓ ଅନ୍ୟ ଉଦ୍ଧାରକାରୀ ସଂସ୍ଥାର କର୍ମକର୍ତ୍ତା ତାଙ୍କ ଉପକରଣ ଧରି ଆସି ପହଁଚିଲେ । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଲା । କିନ୍ତୁ ଉଦ୍ଧାର କାର୍ଯ୍ୟ ଯୋଗୁଁ ସେ ସରୁ ଘାଟି ରାସ୍ତାଟି ଅବରୁଦ୍ଧ ହୋଇଗଲା । ଉଭୟ ପଟୁ ଆସୁଥିବା ଗାଡ଼ି ଅଟକି ରହିଲେ । ତା ସହିତ ଆମ ଗାଡ଼ି ମଧ୍ୟ ।

ଲୋକେ କଥା ହେଉଥାନ୍ତି; "ଆଉ କେହି ବଞ୍ଚି ନ ଥିବେ" । ସ୍ଥାନୀୟ ଲୋକଙ୍କ ସହ କଥା ହେଲାବେଳେ ଜାଣିଲି ଯେ ଯେଉଁ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି, ତାହା ସେଇ ବସ୍ ଯେଉଁ ବସରେ ମୁଁ ପ୍ରଥମେ ଯାଇ ବସିଥିଲି ! ଜାଣିଲା ପରେ ହଲକ୍ ଶୁଖିଗଲା ମୋର !! "କଣ ହୋଇଥାନ୍ତା ଆଜି?" ଏକଥା ଭାବି ଦେଇ ଆତଙ୍କରେ ଶିହରି ଉଠିଲି ମୁଁ । ସକାଳୁ ସକାଳୁ ରାସ୍ତା ସଫା ହେଲାପରେ ଆମ ବସ ପୁଣି ରାଉରକେଲା ଅଭିମୁଖେ ଚାଲିଲା । ଅପରାହ୍ନରେ ଘରେ ପହଞ୍ଚିଲି । ସନ୍ଧ୍ୟାରେ ଜାଣିଲି ଯେ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୨୦ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି !! 

ଏକଥା ଅବଶ୍ୟ ସତ ଯେ ଅଧିକାଂଶ ଦୁର୍ଘଟଣା ମନୁଷ୍ୟକୃତ । କିନ୍ତୁ ମନୁଷ୍ୟକୃତ ଦୁର୍ଘଟଣାରେ କିଏ ମରିବ, କିଏ ବଞ୍ଚିବ ଆଉ କିଏ ଆହତ, ବିକଳାଙ୍ଗ ହୋଇ ବଞ୍ଚିବ - ତାହା ଅନେକ ସମୟରେ ବିଧିନିର୍ଦ୍ଦିଷ୍ଟ । ଜଣେ ଟ୍ରେନ ଫେଲ ହେବା ଯୋଗୁଁ ବଞ୍ଚି ଯାଉଚି । ଆଉ ଜଣେ ଟ୍ରେନ ଫେଲ ହେବା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛି । ଏହାକୁ ବିଧିର ବିଧାନ ଛଡ଼ା ଆଉ କଣ ବା କୁହାଯାଇ ପାରିବ ??

[ସମ୍ବାଦ ଓ ଫୋଟୋ ସୌଜନ୍ୟ: "ଦ ଟାଇମ୍ସ ଅଫ ଇଣ୍ଡିଆ"]