Sunday, September 1, 2024

"ରେଭେନ୍ସା"ର ନାମ ପରିବର୍ତ୍ତନ ଅଯୌକ୍ତିକ, ଅପରିଣାମଦର୍ଶୀ ଓ ଇତିହାସବିରୋଧୀ

ସନ୍ଦୀପ ସାହୁ 

ରେଭେନ୍ସା କଲେଜରେ ପଢ଼ିଥିବା ଭାଇ ଭଉଣୀମାନେ ତାଙ୍କ ପ୍ରିୟ ଅନୁଷ୍ଠାନର ନାମ ପରିବର୍ତ୍ତନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏଭଳି ଉଦ୍ୟମରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଦାବି କରୁଛନ୍ତି । ସେମାନଙ୍କ ସ୍ୱର ଆହୁରି ଶାଣିତ ହେଉ । ମୋ ଭଳି ରେଭେନ୍ସାରେ ପଢ଼ି ନ ଥିବା ଲକ୍ଷ ଲକ୍ଷ ଲୋକ ମଧ୍ୟ ତାଙ୍କ ଦାବିକୁ ନୀରବ ବା ମୁଖର ସମର୍ଥନ କରୁଛନ୍ତି । କିନ୍ତୁ ଲକ୍ଷ୍ୟ କରୁଛି ଯେ ସାମାଜିକ ଗଣମାଧ୍ୟମରେ ରେଭେନ୍ସାରେ ପଢ଼ିଥିବା ଅନେକ ବନ୍ଧୁ ଅକାରଣରେ "ଅଣ ରେଭେନ୍ସାଭିଆନ୍" ମାନଙ୍କ ବିରୁଦ୍ଧରେ ବିଷୋଦଗାର କରୁଛନ୍ତି । କହୁଛନ୍ତି; "ରେଭେନ୍ସାରେ ପଢ଼ି ନ ଥିବା ଲୋକେ ଆମ ଭାବନାକୁ, ଆମ ଭାବାବେଗକୁ ବୁଝି ପାରିବେ ନାହିଁ" । ସେମାନଙ୍କ ପୋଷ୍ଟ ଦେଖିଲେ ମନେ ହେଉଛି ଯେ ସେମାନଙ୍କ ବିଚାରରେ ରେଭେନ୍ସାରେ ପଢ଼ି ନ ଥିବା ସବୁ ଲୋକ ନାମ ପରିବର୍ତ୍ତନକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ସମର୍ଥନ କରୁଛନ୍ତି । ରେଭେନ୍ସାରେ ପଢ଼ି ପାରି ନ ଥିବାର ଅବଶୋଷ, ଗ୍ଲାନି ବା ହୀନମନ୍ୟତା ଯୋଗୁଁ ଅସୂୟାପ୍ରଣୋଦିତ ହୋଇ ଏଭଳି "ଚକ୍ରାନ୍ତ/ଷଡ଼ଯନ୍ତ୍ର" କରିଛନ୍ତି, ସେଥିରେ ସାମିଲ ହୋଇଛନ୍ତି ବା ତାହାର ସମର୍ଥନ କରୁଛନ୍ତି । କିନ୍ତୁ ମୋର ମନେହୁଏ ଏଭଳି ଧାରଣାର କୌଣସି ଭିତ୍ତି ନାହିଁ । କୌଣସି ନିର୍ଦ୍ଦିଷ୍ଟ ରାଜନେତାଙ୍କ କ୍ଷେତ୍ରରେ ଏହା ହୁଏତ ପ୍ରଯୁଜ୍ୟ ହୋଇପାରେ । କିନ୍ତୁ ସଂଖ୍ୟାଧିକ "ଅଣ ରେଭେନ୍ସାଭିଆନ୍" ସରକାରଙ୍କ ନାମ ପରିବର୍ତ୍ତନକୁ ଆଦୌ ସମର୍ଥନ କରନ୍ତି ନାହିଁ ବା ଏ ବାବଦରେ ସେମାନେ ସମ୍ପୂର୍ଣ୍ଣ ବୀତସ୍ପୃହ (ଅର୍ଥାତ୍ ଏହାର ସମର୍ଥନ କି ବିରୋଧ କିଛି ବି କରନ୍ତି ନାହିଁ) । ତେଣୁ ରେଭେନ୍ସାରେ ପଢ଼ିଥିବା ଭାଇ, ଭଉଣୀ ମାନେ ସେମାନଙ୍କୁ ଗାଳି ଦେବାର କୌଣସି କାରଣ ନାହିଁ । ସେମାନେ ଯାହାକୁ ଗାଳି ଦେବା କଥା ନିଶ୍ଚୟ ଦିଅନ୍ତୁ । ଏହା ଯେ ଆମେ ପରାଧୀନ ଥିବା ସମୟର ସବୁ ସନ୍ତକକୁ ଉଚ୍ଛେଦ କରି ସେଗୁଡ଼ିକୁ "ଭାରତୀୟ"/ହିନ୍ଦୁ/ସଂଘ ପରିବାରର ବରେଣ୍ୟ ବ୍ୟକ୍ତି ମାନଙ୍କ ନାମରେ ନାମିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ନୀତିର ଅଂଶ ବିଶେଷ, ସେକଥା ବୁଝନ୍ତୁ (ଯେମିତି ଦିଲ୍ଲୀର ଆଉରଙ୍ଗଜେବ ରୋଡ ହେଲା ଡଃ ଅବଦୁଲ କଲାମ ରୋଡ; ମୁଗଲସରାୟ ଷ୍ଟେସନର ନାଁ ବଦଳି ହେଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍; ଆହ୍ଲାବାଦ ହେଲା ପ୍ରୟାଗ!) ଏବଂ ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । "ଅଣ ରେଭେନ୍ସାଭିଆନ୍" ମାନେ "ଡବଲ ଇଞ୍ଜିନ" ସରକାରଙ୍କର ଏ ଅପରିଣାମଦର୍ଶିତାକୁ ସମର୍ଥନ କରୁଛନ୍ତି ବୋଲି ଧରିନେଇ ସେମାନଙ୍କ ବିରୁଦ୍ଧରେ ଅଯଥାରେ ବିଷୋଦଗାର ନ କରନ୍ତୁ ।

ମୋ ଜେଜେ ବାପା ଓ ବାପା ଉଭୟେ ରେଭେନ୍ସା କଲେଜର ଛାତ୍ର ଥିଲେ । ଜେଜେ ରେଭେନ୍ସାରେ ସେତେବେଳେ ଛାତ୍ର ଥିଲେ (୨୦ ଦଶକରେ) ଯେତେବେଳେ ସେଠି ସ୍ନାତକ ଶିକ୍ଷାର ସୁବିଧା ନ ଥିଲା । ଆଇ ଏ ପାସ କଲାପରେ ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ ପାଟନା ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବାକୁ ପଡ଼ିଥିଲା । ଏବଂ ବାପା ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଲା ବେଳେ ଓଡ଼ିଶାରେ କେବଳ ରେଭେନ୍ସାରେ ହିଁ ଏମ ଏ ଶିକ୍ଷା ଉପଲବ୍ଧ ଥିଲା । ଉଭୟଙ୍କଠାରୁ ରେଭେନ୍ସା କଲେଜ ସମ୍ପର୍କରେ ଅନେକ କଥା ଓ କାହାଣୀ ଶୁଣିଛି । ବାପା ସବୁବେଳେ କହୁଥିଲେ; "ରେଭେନ୍ସା ମାଟି ଏତେ ଉର୍ବର ଯେ ସେଠି ବଳେ ପାଠ ଭଲ ହୁଏ ।" କେନ୍ଦ୍ରାପଡ଼ା କଲେଜରୁ ସ୍ନାତକ ଶିକ୍ଷା ଲାଭ କଲାପରେ ମୋ ପାଖରେ ବି ରେଭେନ୍ସା କଲେଜରେ ପଢ଼ିବାର ବିକଳ୍ପ ଥିଲା । ସେଥିପାଇଁ ଆବଶ୍ୟକ ନମ୍ୱର୍ ମଧ୍ୟ ଥିଲା । କିନ୍ତୁ ମୁଁ ବାଣୀ ବିହାରରେ ପଢିବାକୁ ପସନ୍ଦ କଲି । ଏହାର ଅର୍ଥ ନୁହେଁ ଯେ ରେଭେନ୍ସାର ଗୌରବୋଜ୍ଜ୍ଵଳ ଇତିହାସ ଓ ପରମ୍ପରା ତଥା ଓଡ଼ିଶାର ସାମଗ୍ରିକ ବୌଦ୍ଧିକ, ରାଜନୈତିକ ଉତ୍ତରଣରେ ଏହାର ଭୂମିକା ସମ୍ପର୍କରେ ମୁଁ ଜାଣିନାହିଁ ବା ରେଭେନ୍ସାର ନାମ ପରିବର୍ତ୍ତନକୁ ସମର୍ଥନ କରୁଛି । ଯିଏ ରେଭେନ୍ସାରେ ପଢ଼ିନାହିଁ, ସେ କୋଉଠି ତ ନିଶ୍ଚୟ ପଢ଼ିଛି । ଏବଂ ଯୋଉଠି ପଢ଼ିଛି ସେ ଅନୁଷ୍ଠାନ ସହ ତାର ଭାବାବେଗ ଠିକ୍ ସେମିତି, ଯେମିତି ରେଭେନ୍ସାର ଛାତ୍ର, ଛାତ୍ରୀ ମାନଙ୍କର ତାଙ୍କ ପ୍ରିୟ ଅନୁଷ୍ଠାନ ସହ । (ଯେମିତି ମୋର ମହାରାଜା କୃଷ୍ଣଚନ୍ଦ୍ର (ଏମ କେ ସି) ହାଇସ୍କୁଲ, ମହାରାଜା ପୂର୍ଣ୍ଣଚନ୍ଦ୍ର (ଏମ ପି ସି) କଲେଜ, କେନ୍ଦ୍ରାପଡ଼ା କଲେଜ ଓ ବାଣୀ ବିହାର ସହ ରହିଛି) । ତେଣୁ ସେମାନେ ରେଭେନ୍ସାର ପୂର୍ବତନ ଛାତ୍ର, ଛାତ୍ରୀଙ୍କ ଭାବାବେଗକୁ ଅନୁଭବ କରି ପାରିବେ ନାହିଁ ବା ନାମ ପରିବର୍ତ୍ତନକୁ ସ୍ଵତଃ ସମର୍ଥନ କରିବେ, ଏଭଳି ଧାରଣା ମୋ ବିଚାରରେ ସମ୍ପୂର୍ଣ୍ଣ ଅମୂଳକ । "ରେଭେନ୍ସାଭିଆନ୍" ବନ୍ଧୁମାନଙ୍କୁ ବିନୀତ ଅନୁରୋଧ ସେମାନେ ତାଙ୍କ ପ୍ରିୟ ଅନୁଷ୍ଠାନର ନାମ ପରିବର୍ତ୍ତନ ପାଇଁ ଅଯଥାରେ "ଅଣ ରେଭେନ୍ସାଭିଆନ୍"ଙ୍କୁ ଦାୟୀ ନ କରି ଯେଉଁ ବ୍ୟକ୍ତି, ସଂଗଠନ ଓ ଦଳ ଏଥିପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରନ୍ତୁ । ସେମାନେ ରେଭେନ୍ସାରେ ପଢ଼ି ନ ଥିବା ସବୁ ଲୋକଙ୍କୁ ନିଜ ଶତ୍ରୁ ବୋଲି ବିଚାର ନ  କରି ବରଂ ସେମାନଙ୍କର ସମର୍ଥନ ଓ ସହଯୋଗ ଲୋଡ଼ନ୍ତୁ ।

ଶେଷରେ ମୋହନ ମାଝୀ ସରକାରଙ୍କୁ ପଦେ ! ରାଜ୍ୟରେ - ଏବଂ ଆମ ଶିକ୍ଷା ବ୍ୟବସ୍ଥାରେ -  ବହୁ ଗୁରୁତର ସମସ୍ୟା ଅସମାହିତ ହୋଇ ରହିଥିଲା ବେଳେ ସେସବୁର ପ୍ରତିକାର ପାଇଁ ଉଦ୍ୟମ କରିବା ବଦଳରେ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ ଏଭଳି ଅହେତୁକ ଜିଦ୍ କାହିଁକି ? ଯଦି ଓଡ଼ିଆ "ଅସ୍ମିତା"ର ସୁରକ୍ଷା ପାଇଁ ଏଭଳି କରୁଛନ୍ତି ତେବେ ଆଗ ଏହାଠାରୁ ଯଥେଷ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଯେଉଁ ସରକାରକୁ "ଅଣ ଓଡ଼ିଆ ସରକାର" ବୋଲି ଆକ୍ଷେପ କରି ବିଜେପି କ୍ଷମତା ହାସଲ କଲା, ସେଇ ସରକାରଙ୍କ ଉଦ୍ୟମ ଫଳରେ ଓଡ଼ିଶାର ନାମ "ଓରିଶା"/"ଉଡ଼ିସା"ରୁ ପରିବର୍ତ୍ତନ ହୋଇ "ଓଡ଼ିଶା" ହେଲା । ମୋହନ ସରକାର ଏବେ ସେଇ କାମକୁ ଆଉ ପାଦେ ଆଗକୁ ବଢ଼େଇ Orissa High Court ର ନାମ ପରିବର୍ତ୍ତନ ହୋଇ କେମିତି Odisha High Court ହେବ, ସେ ଦିଗରେ ଉଦ୍ୟମ କରନ୍ତୁ । ସବୁ ସରକାରୀ କାର୍ଯ୍ୟ କେମିତି ଓଡ଼ିଆ ଭାଷାରେ ହେବ, ସେଥିପାଇଁ ଆରମ୍ଭ କରିଥିବା ନିଜ ଉଦ୍ୟମକୁ ଆହୁରି ତ୍ବରାନ୍ବିତ, ପ୍ରଭାବଶାଳୀ କରନ୍ତୁ । ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ରେଭେନ୍ସାରେ ପଢ଼ିଥିବା ଓ  ରେଭେନ୍ସାକୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗକୁ ଅଣଦେଖା କରିବାର ଅପଚେଷ୍ଟା ନ କରନ୍ତୁ ।

ନଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଶାର ତତ୍କାଳୀନ କମିଶନର ଟି ଇ ରେଭେନ୍ସାଙ୍କର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଅନାହାରରେ ମୃତ୍ୟୁ ହୋଇଥିବା ଦର୍ଶାଇ ଯେଉଁମାନେ ଏହି ଐତିହ୍ୟସମ୍ପନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନ ପାଇଁ ଆଗଭର ହୋଇଛନ୍ତି ବା ଏହାକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ମୋର ଗୋଟିଏ ପ୍ରଶ୍ନ । ରେଭେନ୍ସା କଲେଜ ସ୍ଥାପନରେ ଓ ଏହାର ଶୈଶବ କାଳରେ ଆର୍ଥିକ ସମସ୍ୟା ସମେତ ଅନ୍ୟ ବହୁବିଧ ସମସ୍ୟାର ସମାଧାନ ଓ ନିରାକରଣ ଦିଗରେ ତାଙ୍କ ନେତୃତ୍ବ ଓ ନିଷ୍ଠାପର ଉଦ୍ୟମକୁ କେହି ଅସ୍ୱୀକାର କରି ପାରିବେ କି ? ଯେଉଁମାନେ କରିବେ ସେମାନେ ଯେ ଓଡ଼ିଶା ବା ରେଭେନ୍ସାର ଇତିହାସ ସମ୍ପର୍କରେ କିଛି ଜାଣନ୍ତି ନାହିଁ, ଏଥିରେ ସନ୍ଦେହ ନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନ ନେଇ ଥିବାରୁ ତାଙ୍କ ବିରୁଦ୍ଧରେ ପ୍ରଶାସନିକ ବିଫଳତା ବା ଅପରିଣାମଦର୍ଶିତାର ଅଭିଯୋଗ ଅଣା ଯାଇପାରେ । କିନ୍ତୁ ସେ ଜାଣିଶୁଣି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲିଦେଲେ ବୋଲି କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତି କେବେ କହିବ ନାହିଁ । ତେଣୁ ରେଭେନ୍ସା କଲେଜ ଜନ୍ମର ଦେଢ଼ ଶହ ବର୍ଷ ପରେ ଏହାର ମୁଖ୍ୟ ପୁରୋଧାଙ୍କୁ ଏହି "ଅପରାଧ" ପାଇଁ "ଦଣ୍ଡିତ" କରିବା ଏକ ସମ୍ପୂର୍ଣ୍ଣ ଅଯୌକ୍ତିକ ଦାବି । ନେହେରୁଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଭାରତ ୧୯୬୨ "ଯୁଦ୍ଧ"ରେ ଚୀନ ଠାରୁ ଶୋଚନୀୟ ପରାଜୟ ବରଣ କରିବା ସହିତ ହଜାର ହଜାର ବର୍ଗ କିଲୋମିଟର ଅଞ୍ଚଳ ହରାଇ ବସିଲା - ଏକଥା ସର୍ବଜନବିଦିତ । ତେବେ କଣ ଆମେ ସେଥିପାଇଁ ସ୍ଵାଧୀନତା ପ୍ରାପ୍ତି ଓ ଦେଶ ଗଠନରେ ତାଙ୍କର ଅନ୍ୟ ସବୁ ଅବଦାନକୁ ଭୁଲିଯିବା, ଅଣଦେଖା କରିଦେବା ? ଦାବି କରିବା ଯେ ଜୱାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଉ ?

ଆମେମାନେ ଭୁଲିଯିବା ଉଚିତ ନୁହେଁ ଯେ ରେଭେନ୍ସା କଲେଜର ନାମକରଣ ରେଭେନ୍ସା ନିଜେ କରି ନ ଥିଲେ । କଲେଜ ଗଠନ ବେଳେ ଏହାର ନାମ ଥିଲା କଟକ କଲେଜ । ପରବର୍ତ୍ତୀ ସମୟରେ ଏହି କଲେଜର ସ୍ଥାପନା ଓ ଆବଶ୍ୟକ ଭିତ୍ତିଭୂମି ପାଇଁ ୨୦, ୦୦୦ ଟଙ୍କା ଦାନ ଦେଇଥିବା ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ହିଁ ଚାହିଁଥିଲେ ଯେ କଲେଜ ସ୍ଥାପନରେ ରେଭେନ୍ସା ସାହେବଙ୍କ ବ୍ୟକ୍ତିଗତ ନିଷ୍ଠା ଓ ଉଦ୍ୟମକୁ ସମ୍ମାନ ଜଣାଇ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ଥାପିତ ଏହି ପ୍ରଥମ ଅନୁଷ୍ଠାନକୁ ତାଙ୍କରି ନାମରେ ନାମିତ କରାଯାଉ । ଏବଂ ମହାରାଜାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏହାର ନାମ ରେଭେନ୍ସା କଲେଜ ରଖା ଯାଇଥିଲା ।  ତେଣୁ ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବା ପାଇଁ ଦାବି କରୁଥିବା ବ୍ୟକ୍ତି/ଅନୁଷ୍ଠାନ/ଦଳ କେବଳ ଯେ ଏହାର ସ୍ଥାପନରେ ରେଭେନ୍ସାଙ୍କ ଇତିହାସସମ୍ମତ ଭୂମିକାକୁ ଅସ୍ବୀକାର କରୁଛନ୍ତି, ତା  ନୁହେଁ । ଅଧିକନ୍ତୁ ଏହି ଅନୁଷ୍ଠାନ ପାଇଁ ଅକୁଣ୍ଠ ଚିତ୍ତରେ ଏକ ମୋଟା ଅଙ୍କ ଦାନ କରିଥିବା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମଧ୍ୟ ଅସ୍ବୀକାର, ଅବଜ୍ଞା ଓ ଅପମାନ କରୁଛନ୍ତି ।

୧୯୦୫ରେ ପ୍ରକାଶିତ ସ୍ପେନର ବିଶିଷ୍ଟ ଦାର୍ଶନିକ ଜର୍ଜ ସାନ୍ତାୟନଙ୍କର ପୁସ୍ତକ "ଦ ଲାଇଫ ଅଫ ରିଜନ୍"ର ସେହି ବହୁ ଚର୍ଚ୍ଚିତ ଧାଡ଼ିଟି ସହ ଏହି ଆଲେଖ ଶେଷ କରୁଛି: "Those who cannot remember history are condemned to repeat it." ଏହାର ଓଡ଼ିଆ ଭାବାର୍ଥ ହେଲା; "ଯେଉଁମାନେ ଇତିହାସକୁ ମନେ ରଖନ୍ତି ନାହିଁ ସେମାନେ ଇତିହାସର ଭୁଲକୁ ଦୋହରାନ୍ତି" !!



Thursday, August 1, 2024

"ଯାହାକୁ ମାରିବେ ଅନନ୍ତ" !!

 ସନ୍ଦୀପ ସାହୁ 

"ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ?" କଥାଟି ଆପଣମାନେ ନିଶ୍ଚୟ ଶୁଣିଥିବେ; ଏହାର ଉଦାହରଣ ଦେଖି ଥିବେ । ହୁଏତ ଏ ଆପ୍ତବାକ୍ୟଟି ଆପଣ କେବେ କେମିତି ବ୍ୟବହାର ବି କରିଥିବେ । କିନ୍ତୁ ସୋମବାର ଦିନ ବିଳମ୍ବିତ ରାତିରେ (ବା ମଙ୍ଗଳବାର ବଡ଼ି ଭୋରରେ) ରାଜଖରସୁଆଁ (ଯେଉଁ ଷ୍ଟେସନରେ ଓହ୍ଲାଇ ମୁଁ ମୋ ଜନ୍ମଭୂମି ଖରସୁଆଁ ଯାଏ) ଷ୍ଟେସନ ଠାରୁ କିଛି ଦୂରରେ ହୋଇଥିବା ଟ୍ରେନ ଦୁର୍ଘଟଣାଟି ପ୍ରମାଣ କରିଦେଲା ଯେ "ଯାହାକୁ ରଖିବେ ଅନନ୍ତ ..." କଥାଟି ଯେତିକି ସତ, "ଯାହାକୁ ମାରିବେ ଅନନ୍ତ, କି କରିପାରେ ବଳବନ୍ତ?" କଥାଟି ମଧ୍ୟ ସେତିକି ସତ ।

ଲାଇନଚ୍ୟୁତ ହୋଇଥିବା ଏକ ମାଲଗାଡ଼ିର ଗୋଟିଏ ବଗି ସହ ଧକ୍କା ହେଲାପରେ ହାୱଡା-ମୁମ୍ବାଇ ମେଲର ୧୭ଟି ବଗି ଲାଇନଚ୍ୟୁତ ହେଲା । ଗଭୀର ନିଦ୍ରାରେ ଥିବା ଅନେକ ଯାତ୍ରୀ ଆହତ ହେଲେ । କିନ୍ତୁ ମୃତ୍ୟୁ ବରଣ କଲେ ମାତ୍ର ଦୁଇଜଣ; ୩୪ ବର୍ଷୀୟ ଅଜିତ ସାମଲ ଓ  ୨୭ ବର୍ଷୀୟ ପି. ବିକାଶ ରାଓ । ସଂଯୋଗ ଦେଖନ୍ତୁ ! ଯେଉଁ ଦୁଇଜଣ ପ୍ରାଣ ହରାଇଲେ, ସେ ଦୁହେଁ ଓଡ଼ିଶାର ଓ ତା ପୁଣି ଗୋଟିଏ ସହର (ରାଉରକେଲା)ର ବାସିନ୍ଦା । ସଂଯୋଗ କେବଳ ସେତିକିରେ ସରୁନି । ଦୁହେଁ ପୁଣି ଏକା ନିର୍ମାଣ ସଂସ୍ଥା ପାଇଁ କାମ କରୁଥିଲେ । ଦୁହେଁ ସାଙ୍ଗ ହୋଇ ଜାମସେଦପୁରରୁ ରାଉରକେଲା ଫେରୁଥିଲେ । କିନ୍ତୁ ଯେଉଁ ଟ୍ରେନରେ ସେମାନେ ଫେରିବା କଥା, ସେ ଟ୍ରେନ ଫେଲ ହେଇଗଲେ ଓ ଅଗତ୍ୟା ଅଭିଶପ୍ତ ଟ୍ରେନଟିରେ ବସିବାକୁ ବାଧ୍ୟ ହେଲେ । ସେମାନେ କେମିତି ବା ଜାଣିଥାନ୍ତେ ମୃତ୍ୟୁ ସେ ଦୁହିଁଙ୍କୁ ହାତଠାରି ଡାକୁଥିଲା ଟ୍ରେନ ରୂପରେ ? 

ଦୁହିଁଙ୍କ ମଧ୍ୟରୁ ଜଣେ - ଅଜିତ - ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ ନିଜ ପରିବାର ଲୋକଙ୍କ ସହ କଥା ହେଇଥିଲେ । ସେମାନଙ୍କୁ କହିଥିଲେ ଯେ ସେ ଯେଉଁ ଟ୍ରେନରେ ଅପେକ୍ଷା କରିଥିଲେ, ସେ ଟ୍ରେନ ଫେଲ୍ ହୋଇଗଲେ ଓ ପରବର୍ତ୍ତୀ ଟ୍ରେନରେ ଫେରିବା ପାଇଁ ଜାମସେଦପୁର ଷ୍ଟେସନରେ ଅପେକ୍ଷା କରିଛନ୍ତି । ଚିନ୍ତା କରନ୍ତୁ । ପରଦିନ ସକାଳେ ଯେତେବେଳେ ସେମାନେ ଜାଣିଥିବେ ଯେ ଯେଉଁ ଟ୍ରେନରେ ଅଜିତ ଆସୁଥିଲେ ସେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ଅଜିତ ସେଥିରେ ପ୍ରାଣ ହରାଇଛନ୍ତି, କଣ ହେଇଥିବ ସେମାନଙ୍କ ମାନସିକ ଅବସ୍ଥା ! କଣ ହେଇଥିବ ବିକାଶଙ୍କ ବୁଢ଼ୀ ମା ଓ ବଡ଼ ଭାଇଙ୍କ ଅବସ୍ଥା ଯେତେବେଳେ ସେମାନେ ଜାଣିଥିବେ ଯେ ଅବିବାହିତ ରୋଜଗାରିଆ ପୁଅ ବିକାଶଙ୍କର ଅକାଳ ମୃତ୍ୟୁ ଘଟିଛି !!

ସେଇ ଟ୍ରେନରେ ସେଇ ଏକା ରାତିରେ ଆଉ ଦୁଇଟି ଘଟଣା ବି ଘଟିଥିଲା, ଯାହା ମୂଳ ପ୍ରଚଳିତ କଥା - "ଯାହାକୁ ରଖିବେ ଅନନ୍ତ" - ଟିକୁ ପ୍ରମାଣ କଲା । ଭଦ୍ରକ ନିବାସୀ ଷ୍ଟାଲିନ୍ ଦାସ ନିଜର ଦୁଇ ସହଯୋଗୀ - ଯୋଗେଶ ତିୱାରୀ ଓ ଗିରିରାଜ ଚନ୍ଦ୍ର - ଙ୍କ ସହ ସେଇ ଟ୍ରେନରେ ଜାମସେଦପୁରରୁ ଛତିଶଗଡ଼ର ଚାମ୍ପାଠାରେ ସ୍ଥିତ ନିଜ କର୍ମକ୍ଷେତ୍ରକୁ ଫେରିବାର ଥିଲା । କିନ୍ତୁ ଜାମସେଦପୁରରେ ଆଉ ଦିନଟିଏ ରହିଯିବା ପାଇଁ କିଛି ବନ୍ଧୁଙ୍କ ଅନୁରୋଧ ଭାଙ୍ଗି ନ ପାରି ଶେଷ ମୁହୂର୍ତ୍ତରେ ସେ ନିଜ ଟିକଟ ବାତିଲ କଲେ । ତାଙ୍କର ଦୁଇ ସହଯୋଗୀ କିନ୍ତୁ ଟ୍ରେନରେ ବସିଲେ; ଲାଇନଚ୍ୟୁତ ହୋଇଥିବା ୧୭ ବଗି ଭିତରୁ ଗୋଟିକରେ । କିନ୍ତୁ ସେମାନେ ସାମାନ୍ୟ ଆହତ ହେଲେ କେବଳ ।

ରାଉରକେଲାର ଆଉ ଜଣେ ବ୍ୟକ୍ତି - ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ସୌମେନ୍ ମୁଖର୍ଜୀ - ସେଇ ଅଭିଶପ୍ତ ଟ୍ରେନରେ ଫେରିବାର ଥିଲା । କିନ୍ତୁ ଦିନ ସାରା ନିଜ ପୁଅର ବିବାହ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରି ଭୀଷଣ କ୍ଳାନ୍ତ ହୋଇ ପଡ଼ିଥିବା ସୌମେନ୍ ଖରାବେଳେ ଖାଇସାରି ଏତେ ଗଭୀର ନିଦ୍ରାରେ ଶୋଇ ପଡ଼ିଲେ ଯେ ତାଙ୍କ ନିଦ ପରଦିନ ସକାଳେ - ଅର୍ଥାତ୍ ଦୁର୍ଘଟଣା ଘଟିବାର କିଛି ଘଣ୍ଟା ପରେ - ହିଁ ଭାଙ୍ଗିଲା; ସେ ଆଉ ୧୨୮୧୦ ନମ୍ୱର୍ ଟ୍ରେନରେ ବସି ପାରିଲେ ନାହିଁ । ଏବଂ ହୁଏତ ସେଇଥିପାଇଁ ବଞ୍ଚିଗଲେ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ । 

ଉପରୋକ୍ତ ଦୁଇ ଘଟଣା ବିଷୟରେ ପଢ଼ିଲା ବେଳେ ବହୁଦିନ ତଳର ଏକ ପ୍ରତ୍ୟକ୍ଷ ଅନୁଭୂତି କଥା ମନେ ପଡ଼ିଗଲା । ମୋର ସ୍ନାତକ ଶିକ୍ଷା ବେଳର କଥା ଇଏ । କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରୁ ବସ ଧରି ରାଉରକେଲା ଯିବାର ଥାଏ (ସେତେବେଳେ ଅନେକ ବସ୍ ଜାତୀୟ ରାଜପଥ ନମ୍ୱର୍ ୬ ଦେଇ ରାଉରକେଲା ଯାଉଥାଏ) । ଦେଖିଲି ଗୋଟିଏ ବସ୍ ଲାଗିଚି । ବସରେ ଚଢ଼ି ଗୋଟିଏ ଆଗ ସିଟ ଧରି ବସିଗଲି । କିନ୍ତୁ କିଛି ସମୟ ବସିଲା ପରେ ଦେଖିଲି ଗାଡ଼ି ଛାଡ଼ିବାକୁ ଡେରି ଅଛି । ଚା ଟିକେ (ଓ ତା ସହ ଧୂଆଁ ଟିକେ) ପିଇବାକୁ ମନ ହେଲା । ବସରୁ ଓହ୍ଲାଇ ପଡ଼ିଲି; ଚା ପିଇଲି, ସିଗାରେଟ ଫୁଙ୍କିଲି ଓ ତାପରେ ଫେରିଲା ବେଳକୁ ଦେଖେ ତ ଯେଉଁ ବସରେ ବସିଥିଲି ସେ ଛାଡ଼ିବ ଛାଡ଼ିବ ହଉଚି; ସିଟ ସବୁ ଅକ୍ତିଆର ହେଇ ଯାଇଚି । (ମୁଁ ବସିଥିବା ସିଟରେ ରୁମାଲ କି ବ୍ୟାଗ୍ ଥୋଇ ନ ଥିଲି 😊) । ଅଗତ୍ୟା ସେ ବସରେ ଆଉ ଚଢ଼ିଲି ନାହିଁ । ୧୫/୨୦ ମିନିଟ ପରେ ଛାଡ଼ୁଥିବା ଅନ୍ୟ ଏକ ବସରେ ବସିଗଲି । 

ବିଳମ୍ବିତ ରାତିରେ (ପ୍ରାୟ ସେଇ ସମୟରେ ଯେତେବେଳେ ସୋମବାର ରାତିରେ ଟ୍ରେନ ଦୁର୍ଘଟଣାଟି ଘଟିଲା) ହଠାତ୍ ମୁଁ ବସିଥିବା ବସ୍ ଟି ଏମିତି ଏକ ସ୍ଥାନରେ ରହିଗଲା ଯାହା ତାର ନିୟମିତ ରହଣିସ୍ଥଳ ସୂଚୀରେ ନ ଥିଲା । ଯେହେତୁ ସେ ରାସ୍ତା ସହିତ ମୋର ବେଶ ଭଲ ପରିଚିତି ଥିଲା, ତେଣୁ ମୁଁ ଜାଣି ପାରୁଥିଲି ଯେ ବସଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିଲା । ବାହାରେ କିଟିକିଟି ସାନ୍ଧ୍ର ଅନ୍ଧାର । କିନ୍ତୁ ତାହାରି ଭିତରେ ଶୁଭୁଚି କୋଳାହଳ । ତଳକୁ ଗଲି ଓ ଜାଣିଲି ଯେ କିଛି ସମୟ ପୂର୍ବରୁ ଆସୁଥିବା ଏକ ସରକାରୀ ବସ୍ ଘାଟି ତଳକୁ ଖସି ପଡ଼ିଛି । ଆଖ ପାଖ ଅଞ୍ଚଳର କିଛି ଲୋକ ଧାଇଁ ଆସି ପ୍ରାଥମିକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କିଛି ସମୟ ଭିତରେ ପୋଲିସ, ଦମକଳ ଓ ଅନ୍ୟ ଉଦ୍ଧାରକାରୀ ସଂସ୍ଥାର କର୍ମକର୍ତ୍ତା ତାଙ୍କ ଉପକରଣ ଧରି ଆସି ପହଁଚିଲେ । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଲା । କିନ୍ତୁ ଉଦ୍ଧାର କାର୍ଯ୍ୟ ଯୋଗୁଁ ସେ ସରୁ ଘାଟି ରାସ୍ତାଟି ଅବରୁଦ୍ଧ ହୋଇଗଲା । ଉଭୟ ପଟୁ ଆସୁଥିବା ଗାଡ଼ି ଅଟକି ରହିଲେ । ତା ସହିତ ଆମ ଗାଡ଼ି ମଧ୍ୟ ।

ଲୋକେ କଥା ହେଉଥାନ୍ତି; "ଆଉ କେହି ବଞ୍ଚି ନ ଥିବେ" । ସ୍ଥାନୀୟ ଲୋକଙ୍କ ସହ କଥା ହେଲାବେଳେ ଜାଣିଲି ଯେ ଯେଉଁ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି, ତାହା ସେଇ ବସ୍ ଯେଉଁ ବସରେ ମୁଁ ପ୍ରଥମେ ଯାଇ ବସିଥିଲି ! ଜାଣିଲା ପରେ ହଲକ୍ ଶୁଖିଗଲା ମୋର !! "କଣ ହୋଇଥାନ୍ତା ଆଜି?" ଏକଥା ଭାବି ଦେଇ ଆତଙ୍କରେ ଶିହରି ଉଠିଲି ମୁଁ । ସକାଳୁ ସକାଳୁ ରାସ୍ତା ସଫା ହେଲାପରେ ଆମ ବସ ପୁଣି ରାଉରକେଲା ଅଭିମୁଖେ ଚାଲିଲା । ଅପରାହ୍ନରେ ଘରେ ପହଞ୍ଚିଲି । ସନ୍ଧ୍ୟାରେ ଜାଣିଲି ଯେ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୨୦ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି !! 

ଏକଥା ଅବଶ୍ୟ ସତ ଯେ ଅଧିକାଂଶ ଦୁର୍ଘଟଣା ମନୁଷ୍ୟକୃତ । କିନ୍ତୁ ମନୁଷ୍ୟକୃତ ଦୁର୍ଘଟଣାରେ କିଏ ମରିବ, କିଏ ବଞ୍ଚିବ ଆଉ କିଏ ଆହତ, ବିକଳାଙ୍ଗ ହୋଇ ବଞ୍ଚିବ - ତାହା ଅନେକ ସମୟରେ ବିଧିନିର୍ଦ୍ଦିଷ୍ଟ । ଜଣେ ଟ୍ରେନ ଫେଲ ହେବା ଯୋଗୁଁ ବଞ୍ଚି ଯାଉଚି । ଆଉ ଜଣେ ଟ୍ରେନ ଫେଲ ହେବା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛି । ଏହାକୁ ବିଧିର ବିଧାନ ଛଡ଼ା ଆଉ କଣ ବା କୁହାଯାଇ ପାରିବ ??

[ସମ୍ବାଦ ଓ ଫୋଟୋ ସୌଜନ୍ୟ: "ଦ ଟାଇମ୍ସ ଅଫ ଇଣ୍ଡିଆ"]


Friday, July 26, 2024

ଟୁଆଁ ଟୁଇଁ କାହାଣୀ !!

ସନ୍ଦୀପ ସାହୁ 

ପାରା ମାନେ କେତେ ବର୍ଷ ବଞ୍ଚନ୍ତି ସତରେ ??

ଗୁଗଲରେ ଉପଲବ୍ଧ ତଥ୍ୟ କହୁଚି ସ୍ଥଳ ଓ ପରିବେଶ ଅନୁଯାୟୀ ପାରାଙ୍କ ଜୀବନ କାଳ ୩ ରୁ ୫ ବର୍ଷ ବା ୧୫ ରୁ ୨୦ ବର୍ଷ ମଧ୍ୟ ହୋଇପାରେ । କିନ୍ତୁ ଇଣ୍ଟରନେଟରୁ ସଂଗୃହୀତ ଏ ତଥ୍ୟ ମୋ ଦ୍ଵନ୍ଦକୁ ଦୂର କରିବା ବଦଳରେ ଆହୁରି ଘନୀଭୂତ କରିଦିଏ । ଏବଂ ସେ ଦ୍ଵନ୍ଦଟି ହେଲା ଫୋଟୋରେ ଦିଶୁଥିବା ପାରା ଯୋଡ଼ିକ କଣ ସେଇ ଯୋଡ଼ି ଯାହାଙ୍କୁ ମୁଁ ଏ ଘରେ ରହିବା ଦିନଠାରୁ ଦେଖି ଆସୁଚି ? ନା ତାଙ୍କ ସନ୍ତାନ ସନ୍ତତି ? ପୁଅ ବୋହୂ? ଝିଅ ଜ୍ବାଇଁ? ନା ମୂଳ ଯୋଡ଼ି ସହ ଆଦୌ କୌଣସି ସମ୍ପର୍କ ନ ଥିବା ସମ୍ପୂର୍ଣ୍ଣ ଭିନ୍ନ ଏକ ଯୋଡ଼ି ଇଏ ? ଯଦି ଏମାନେ ସେଇ ମୂଳ ଯୋଡ଼ି, ତେବେ ସେମାନଙ୍କ ସନ୍ତାନ, ସନ୍ତତି ଏବେ କେଉଁଠି ? ସେମାନେ କଣ ନିଜ ସଂସାର କରି ଅନ୍ୟତ୍ର ଅବସ୍ଥାନ କରୁଛନ୍ତି ? ଆଉ ଯଦି ପୁଅ ବୋହୂ କି ଝିଅ ଜ୍ବାଇଁ, ତେବେ ମୂଳ ଯୋଡ଼ିଟି ଗଲେ କୁଆଡ଼େ ? ସେ ଦୁହେଁ କଣ ଅନ୍ୟ କୋଉଠି ଆସ୍ଥାନ ଜମେଇଚନ୍ତି ନା ଆଉ ଇହଧାମରେ ନାହାଁନ୍ତି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେ ମନରେ; କିନ୍ତୁ କୌଣସି ପ୍ରଶ୍ନର ଉତ୍ତର ମିଳେନାହିଁ ।

ଗତ ଆଠ ବର୍ଷ ହେଲାଣି ନିଜ ଶୋଇବା ଘର ଝରକା ଫାଙ୍କରେ ପ୍ରାୟ ପ୍ରତିଦିନ ଦେଖି ଆସୁଚି (ଅନେକ ସମୟରେ ଦିନରେ ଏକାଧିକ ବାର) ଆମ ପଛ ଘରର ପଛ ଝରକା ସିଲ୍ ରେ ମୁଗ୍ଧ ନୟନରେ ପରସ୍ପର ମୁହଁକୁ ଚାହିଁ ଘଣ୍ଟା ଘଣ୍ଟା ବସି ରହିଥିବା (ବା ଠିଆ ହୋଇଥିବା) ଏ ପାରା ଯୋଡ଼ିକୁ । ସକାଳ ହଉ କି ଖରାବେଳ; ସନ୍ଧ୍ୟା ହଉ କି ରାତି; ଖରାଦିନ ହେଉଥାଉ କି ବର୍ଷା ଋତୁ; ଆମ ଛାତରେ ଥିବା ଏସି କଂପ୍ରେସରର ତତଲା ପବନ ହଉ କି ପଛ ଘରେ ପାଣି ମୋଟର ଚାଲିବାର କର୍କଶ, ବିକଟାଳ ଧାତବ ଶବ୍ଦ - ଏ ଦୁହିଁଙ୍କୁ କିଛି ଫରକ୍ ପଡ଼େନାହିଁ । ସେମିତି ସ୍ଥିର, ଶାନ୍ତ ଚିତ୍ତରେ ପରସ୍ପର ଭିତରେ ହଜି ଯାଇଥାନ୍ତି ଦୁହେଁ । ମୁଁ ସେ ଦୁହିଁଙ୍କୁ ନାଁ ଦେଇଛି "ଟୁଆଁ" ଓ "ଟୁଇଁ" - ଯଦିଓ ମୁଁ କହି ପାରିବିନି ଯେ ତାଙ୍କ ଭିତରୁ "ଟୁଆଁ" କିଏ ଓ "ଟୁଇଁ" କିଏ ? ମୁଁ ତ ଏତକ ବି ଜାଣିନାହିଁ ଯେ ଏ ଦୁହେଁ ପୁରୁଷ ନାରୀ ନା ଦୁଇ ପୁରୁଷ ନା ଦୁଇ ନାରୀ !! କିନ୍ତୁ ବର୍ଷ ବର୍ଷ ଧରି ଦୁହିଁଙ୍କୁ ଅପଲକ ନୟନରେ ପରସ୍ପରକୁ ଚାହିଁ ରହିଥିବା ଦେଖି ଦେଖି ଧରି ନେଇଛି ଯେ ସେମାନେ ପୁରୁଷ-ନାରୀ; ହୁଏତ ସ୍ବାମୀ-ସ୍ତ୍ରୀ ବା ପ୍ରେମିକ-ପ୍ରେମିକା ବା ଲିଭ୍-ଇନ୍ ସମ୍ପର୍କରେ ଥିବା ବିପରୀତ ଲିଙ୍ଗର ଦୁଇଟି ପାରା । କିନ୍ତୁ ଯେଉଁ ଗୋଟିଏ ବିଷୟରେ ମୁଁ ନିଃସନ୍ଦେହ, ତାହା ହେଲା ସେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । 

ଆଉ ଏତେ ବର୍ଷ ଧରି ପ୍ରାୟ ପ୍ରତିଦିନ ସେ ଦୁହିଁଙ୍କୁ ଦେଖି ଦେଖି ମୁଁ ବି ସେମାନଙ୍କୁ ଭଲ ପାଇ ବସିଛି । ସେ ଦୁହେଁ ଯେମିତି ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରନ୍ତି ନାହିଁ, ମୁଁ ମଧ୍ୟ ସେ ଦୁହିଁଙ୍କୁ ନ ଦେଖିଲେ କିଛି ଭଲ ଲାଗେନାହିଁ; ଖାଲି, ଖାଲି, ଉଦାସ ଉଦାସ ଲାଗେ । କଦବା କେମିତି ଦିନେ ସେ ଦୁହିଁଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ନ ଦେଖିଲେ ଭାରି ବ୍ୟସ୍ତ ଲାଗେ । ସେମାନେ ପୁଣି ଥରେ ତାଙ୍କ ନୀଡ଼କୁ ଫେରି ଆସିବା ପର୍ଯ୍ୟନ୍ତ ମନ ଅସ୍ଥିର ହେଉଥାଏ । କାଳେ କିଛି ଅସୁବିଧା ହେଲା କି ତାଙ୍କର ? ଏ ସ୍ଥାନ ଛାଡ଼ି ଚାଲିଗଲେ କି ସବୁଦିନ ପାଇଁ ? ଆଉ ଫେରିବେ ନାହିଁ କି ? ବେଳେବେଳେ ମନକୁ ପାପ ଛୁଏଁ । ଭାବେ; "ଶିକାର ସନ୍ଧାନରେ ଅତି ସନ୍ତର୍ପଣରେ ପାଖ ଘର ଛାତ ଦେଇ ଆମ ଘର ଛାତକୁ ଚାଲି ଆସୁଥିବା ଭୁଆ ବିରାଡ଼ିଟି - ଯିଏ ଗତ କିଛି ବର୍ଷ ମଧ୍ୟରେ ସକାଳେ ଆମ ଛାତରେ ରଖା ହେଇଥିବା ଗହମ, ଚାଉଳ ବା ଅନ୍ୟ କିଛି ଶସ୍ୟ ଖାଇବାକୁ ଆସିଥିବା ବେଶ କିଛି ପାରାଙ୍କୁ ବଧ କରି ସାରିଲାଣି - ମୋ ଟୁଆଁ ଟୁଇଁଙ୍କୁ ଗଳାଧଃକରଣ କରିଦେଇ ନାହିଁ ତ ?" ଏଭଳି ଆଶଙ୍କା ମନକୁ ଆସିଲେ ଏକ ଅଜଣା ଆତଙ୍କରେ ଶିହରି ଉଠେ ମନ; ଆର୍ତ୍ତନାଦ କରି ଉଠେ ହୃଦୟ । (ମୁଁ ଅବଶ୍ୟ ଜାଣିନାହିଁ ଯେ ସକାଳେ ଶସ୍ୟ ଖାଇବାକୁ ଆମ ଛାତରେ ରୁଣ୍ଡ ହେଉଥିବା ମାଳ, ମାଳ ପାରାଙ୍କ ଭିତରେ ଟୁଆଁ, ଟୁଇଁ ଥାଆନ୍ତି କି ନାହିଁ) । ଏଭଳି ଚିନ୍ତା ଆସିଲେ ମୁଁ ମନକୁ ବୁଝାଏ; "ନା, ନା । ସେଭଳି କିଛି ହୋଇନାହିଁ । ହୁଏତ ଖାଦ୍ୟ ସନ୍ଧାନରେ ଯାଇଛନ୍ତି ମୋ ଟୁଆଁ ଟୁଇଁ । କିଛି ସମୟ ଭିତରେ ଫେରି ଆସିବେ ।" ସଚରାଚର ତାହା ହିଁ ହୁଏ । କିଛି ସମୟ ପରେ ଦୁହେଁ ଫେରି ଆସନ୍ତି ତାଙ୍କ ପ୍ରିୟ ସ୍ଥାନକୁ; ପୁଣି ଥରେ ହଜି ଯାଆନ୍ତି ପରସ୍ପର ଭିତରେ । ସେ ଦୁହେଁ ଫେରି ଆସିଲେ ମୁଁ ଏକ ଗଭୀର ଆଶ୍ୱସ୍ତି ଅନୁଭବ କରେ ମନ ଭିତରେ । ଏକ ଅଦ୍ଭୁତ ଆନନ୍ଦ ଶରୀର, ମନ, ପ୍ରାଣକୁ ଆହ୍ଲାଦିତ କରି ପକାଏ ।

ଏଇ ଭିତରେ ଦିନେ ବାହାରୁ ଆସି ଲୁଗା ବଦଳାଉ ଥିଲାବେଳେ ହଠାତ୍ ନଜର ପଡ଼ିଲା ସିଲ୍ ଉପରେ ବସିଛି ଗୋଟିଏ ମାତ୍ର ପାରା; ଦେଖା ଯାଉନାହିଁ ତା ଯୋଡ଼ିଦାର । ପତ୍ନୀଙ୍କୁ ପଚାରିଲି; "ଟୁଇଁ କଣ ଵାପ ଘରକୁ ଯାଇଚି କି ?" (ଯଦିଓ ମୁଁ ସ୍ଥିରନିଶ୍ଚିତ ନ ଥିଲି ଯେ ଏକୁଟିଆ ଠିଆ ହୋଇଥିବା ପାରାଟି ଟୁଆଁ ନା ଟୁଇଁ!) । ପତ୍ନୀ କହିଲେ; "ହଁ ବୋଧେ । ମୁଁ ବି ଦେଖିନି ତାକୁ ସକାଳୁ" । (ମୋ ଦେଖାଦେଖି ଏବେ ପତ୍ନୀ ବି ଏବେ ସେମାନଙ୍କ ଉପରେ ନିଘା ରଖିବା ଆରମ୍ଭ କଲେଣି; ସେମାନଙ୍କ ଅନୁପସ୍ଥିତିକୁ ମର୍ମେ ମର୍ମେ ଅନୁଭବ କଲେଣି) । ଏହାର ଦିନେ, ଦୁଇଦିନ ପରେ ଦିନେ ଘରକୁ ପଶୁ ପଶୁ ଘରଣୀ ବହୁ ପ୍ରତୀକ୍ଷିତ ସୁଖବରଟି ଦେଲେ । "ଟୁଇଁ ଫେରି ଆସିଲାଣି ବାପଘରୁ" । ମୁଁ ରହସ୍ୟ କରି କହିଲି; "ବାପ ଘରୁ ଭାର ଆଣିଥିବ ନିଶ୍ଚୟ ।" ପତ୍ନୀ କହିଲେ; "ହଁ ଆଣିଥିଲା । ତୁମକୁ ଖୋଜୁଥିଲା । ତୁମେ ତ ନ ଥିଲ । ତେଣୁ ଯାହା ଆଣିଥିଲା, ଦୁହେଁ ମିଶି ଖାଇଦେଲେ ।"

ଏହାର କିଛିଦିନ ପରେ ଏକ ବିରଳ ଦୃଶ୍ୟ ଦେଖିଲି । ବର୍ଷ ବର୍ଷ ଧରି ଅପଲକ ଆଖିରେ ପରସ୍ପରକୁ ଅନାଇ ରହୁଥିବା ଟୁଆଁ ଟୁଇଁ ସମାନ୍ତରାଳ ଭାବେ ଏକ ସାମ୍ନାକୁ ଚାହିଁ ରହିଛନ୍ତି । ଭାବିଲି; "ଦୁହିଁଙ୍କ ଭିତରେ କିଛି ମନୋମାଳିନ୍ୟ ହୋଇଛି କି ? ଦାମ୍ପତ୍ୟ କଳହ ? କିଛି ରାଗ, ଋଷା, ମାନ ଅଭିମାନ କି କଳି ତକରାଳ ?" ପରଦିନ ସକାଳେ ଦୁହିଁଙ୍କୁ ଯଥାରୀତି ପରସ୍ପରକୁ ମୁହଁ କରି ଅନାଇ ଥିବାର ଦେଖି ଆଶ୍ବସ୍ତ ହେଲି । ଭାବିଲି; "ଆପୋଷ ବୁଝାମଣା ହୋଇଗଲା ବୋଧେ ।"

ଜୀବନର ଅପରାହ୍ନରେ ଟୁଆଁ ଓ ଟୁଇଁ ମୋ ଦୈନଦିନ ଜୀବନର ଏମିତି ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛନ୍ତି ଯେ ସେମାନଙ୍କ ବିନା ବଞ୍ଚିବା କଥା ଚିନ୍ତାକରି ପାରୁନାହିଁ ମୁଁ । ହସ୍ପିଟାଲ ବେଡ୍ ରୁ ଝରକା ଫାଙ୍କ ଦେଇ ବାହାରେ ଥିବା ଗଛଟିର ଶେଷ ପତ୍ରଟିକୁ ଦେଖି ଦେଖି ବଞ୍ଚି ରହିଥିବା ଓ. ହେନେରିଙ୍କ "ଦ ଲାଷ୍ଟ ଲିଫ୍" ଗପର ସେ ଚରିତ୍ରଟି ପରି ମୋତେ ବି ଅନେକ ସମୟରେ ଲାଗେ ଯେ ଟୁଆଁ ଟୁଇଁ ଥିବା ପର୍ଯ୍ୟନ୍ତ ମୁଁ ଅଛି । ସେ ଦୁହେଁ ଟୁଆଁ ଟୁଇଁ ନ ହୋଇ ତାଙ୍କର ସନ୍ତାନ-ସନ୍ତତି, ପୁତ୍ର-ପୁତ୍ରବଧୂ, କନ୍ୟା-ଜାମାତା ବା ସମ୍ପୂର୍ଣ୍ଣ ଭିନ୍ନ ଏକ କପୋତ-କପୋତୀ ଯୋଡ଼ି ହୁଅନ୍ତୁ ପଛେ !!






Thursday, May 2, 2024

"ଟ୍ରୋଜାନ୍ ହର୍ସ"

ସନ୍ଦୀପ ସାହୁ

ଆମ ଓଡ଼ିଶାରେ କିଛି "ଦୂରଦୃଷ୍ଟିସମ୍ପନ୍ନ" ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ଦିନ ଆରମ୍ଭ ଓ ଶେଷ ହୁଏ ସାମାଜିକ ଗଣମାଧ୍ୟମରେ ମୋଦୀ/ବିଜେପି/ସଂଘକୁ ଗାଳି ଦେବାରେ । ସାରା ଭାରତରେ ଏଇ ତ୍ରିମୂର୍ତ୍ତି କଣ କଲେ ନ କଲେ, କଣ କହିଲେ ନ କହିଲେ, କିଛି ବି ଏମାନଙ୍କ ଦୃଷ୍ଟିରୁ କି ଏମାନଙ୍କ ଶାଣିତ ଆକ୍ରମଣରୁ ବାଦ୍ ପଡ଼େନାହିଁ । ମୋଦୀ ସରକାର କେମିତି ଦେଶରେ ଗଣତନ୍ତ୍ରକୁ କବର ଦେବାରେ ଲାଗି ପଡ଼ିଛି; ବିରୋଧୀ ଦଳ ଓ ନେତାଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କୁ କେମିତି ଅପବ୍ୟବହାର କରି ଚାଲିଛି; ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ କେମିତି ଲାଗି ପଡ଼ିଛି; ପୁଞ୍ଜିପତିଙ୍କ ପାଖରେ ଦେଶକୁ କେମିତି ବନ୍ଧା ପକେଇ ଦେଇଛି, ସେମାନଙ୍କୁ ଲକ୍ଷ ଲକ୍ଷ କୋଟି ଋଣ ଛାଡ଼ କରିଛି; ଯାବତୀୟ ଦୁର୍ନୀତିରେ ଲିପ୍ତ ଅଛି; ଧର୍ମୀୟ ଆଧାରରେ ଦେଶକୁ ବାଣ୍ଟି, ସମ୍ବିଧାନ ସଂଶୋଧନ କରି ଦେଶକୁ ଏକ ହିନ୍ଦୁ ରାଷ୍ଟ୍ର କରିବାକୁ ଚେଷ୍ଟା ଚଳାଇଛି - ଏସବୁ କିଛି ବି ଏମାନଙ୍କ ଆଖିରୁ ବାଦ ପଡ଼େ ନାହିଁ କି ଏମାନଙ୍କ ଶାଣିତ ଆକ୍ରମଣରୁ ବର୍ତ୍ତି ପାରେନାହିଁ । 

ଏକଥା ଅବଶ୍ୟ ସତ ଯେ ଏମାନେ ଆଣୁଥିବା ଅଧିକାଂଶ ଅଭିଯୋଗ ଅନେକ ସମୟରେ ସତ୍ୟ ଉପରେ ଆଧାରିତ । କିନ୍ତୁ କୌତୁହଳର ବିଷୟ ହେଉଛି ନିଜ ବାରିପଟେ, ପାଖ ଆଖରେ, ନିଜ ଗାଁ, ନିଜ ଜିଲ୍ଲା, ନିଜ ସହର, ନିଜ ରାଜ୍ୟରେ କଣ ହେଉଛି - ଗଣତନ୍ତ୍ର କେମିତି ପ୍ରତି ମୁହୂର୍ତ୍ତରେ ଭୁଲୁଣ୍ଠିତ ହେଉଛି; ଵାକ୍ ସ୍ଵାଧୀନତା କେମିତି ବିପନ୍ନ ହେଉଛି; ଗଣମାଧ୍ୟମ ଉପରେ କେମିତି ଗୋଟିଏ ପରେ ଗୋଟିଏ ଅଙ୍କୁଶ ଲଗା ଯାଉଛି; କ୍ଷମତାର ଅହଙ୍କାର/ସ୍ୱେଚ୍ଛାଚାରିତା କେମିତି ବଢ଼ି ବଢ଼ି ଚାଲିଛି; ମିଥ୍ୟା ପ୍ରଚାର/ ଅପପ୍ରଚାର ଜରିଆରେ ପ୍ରତିଦିନ ଲୋକଙ୍କୁ କେମିତି ଭୁଆଁ ବୁଲା ଯାଉଛି; ପୁଞ୍ଜିପତି, ଖଣି ମାଫିଆଙ୍କ ହାତରେ କେମିତି ରାଜ୍ୟକୁ ଟେକି ଦିଆ ଯାଉଛି; ଗରିବ, ଆଦିବାସୀ, ଦଳିତ, କେମିତି ଶୋଷିତ, ନିଷ୍ପେସିତ, ଅତ୍ୟାଚାରିତ ହେଉଛନ୍ତି, ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି; ମହିଳା ବିରୋଧୀ ହିଂସା କେମିତି ବଢ଼ି ବଢ଼ି ଚାଲିଛି; ଭାଷା ଓ ସଂସ୍କୃତି କେମିତି ଚରମ ସଙ୍କଟରେ ପଡ଼ିଛି - ଏସବୁ କେବେ ବି ଏମାନଙ୍କ ଆଖିରେ ପଡ଼େ ନାହିଁ । ଆଖିରେ ପଡ଼େ ନାହିଁ କହିଲେ ଭୁଲ୍ ହେବ; ଏସବୁ ତାଙ୍କ ଦୃଷ୍ଟିରେ ପଡ଼ିଲେ ବି ସେମାନେ ଆଖି ବୁଜି ଦିଅନ୍ତି । ଏସବୁ କଥା ବିଷୟରେ ଏମାନେ କେବେ ପଦୁଟିଏ କହିବାର ଶୁଣାଯାଏ ନାହିଁ । 

ତେବେ ଏମାନେ ପ୍ରକୃତରେ କିଏ ? ଗଣତନ୍ତ୍ର, ବାକ ସ୍ଵାଧୀନତା ପ୍ରତି ପ୍ରତିବଦ୍ଧ ତଥା ଦୁର୍ନୀତି, ସ୍ଵେଚ୍ଛାଚାର, ଧର୍ମାନ୍ଧତା ବିରୁଦ୍ଧରେ ମୁହଁ ଖୋଲୁଥିବା, ସଂଗ୍ରାମ କରୁଥିବା ଗଣତନ୍ତ୍ରପ୍ରେମୀ, ସ୍ଵାଧୀନଚେତା ଚିନ୍ତାନାୟକ ନା ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ଓ ସରକାରଙ୍କ ନିକଟରେ ନିଜକୁ ବନ୍ଧା ପକାଇଥିବା ଛଦ୍ମବେଶୀ "ଟ୍ରୋଜାନ ହର୍ସ" ? ଆପଣ ଯଦି ଏ ପୋଷ୍ଟ ପଢ଼ୁଛନ୍ତି, ତେବେ ଟିକିଏ ଚିନ୍ତାକଲେ ଏମାନଙ୍କ ଭିତରୁ ଅନେକଙ୍କ ଚେହେରା ଓ ସେମାନଙ୍କ ପୋଷ୍ଟ ଆପଣଙ୍କୁ ଜଳଜଳ ଦେଖାଯିବ !!

ବି: ଦ୍ର: ଆପଣମାନଙ୍କ ମଧ୍ୟରୁ ଯେଉଁମାନେ "ଟ୍ରୋଜାନ ହର୍ସ" ସମ୍ପର୍କରେ ଜାଣି ନାହାଁନ୍ତି, ସେମାନଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛି ଯେ ଗ୍ରୀକ୍ କିମ୍ବଦନ୍ତୀ ଅନୁଯାୟୀ ଏହା ହେଉଛି କାଠରେ ନିର୍ମିତ ଏକ ଅତିକାୟ ଘୋଡ଼ା, ଯାହାକୁ ବ୍ୟବହାର କରି ଗ୍ରୀକ୍ ସେନା ଟ୍ରୟ ନାମକ ସହରକୁ ଅକ୍ତିଆର କରିଥିଲା । ବିଖ୍ୟାତ ଗ୍ରୀକ୍ ଲେଖକ ଭର୍ଜିଲଙ୍କ "ଏନିଡ" ପୁସ୍ତକର ବର୍ଣ୍ଣନା ଅନୁଯାୟୀ ଦଶ ବର୍ଷ ଧରି ଟ୍ରୟରେ ପ୍ରବେଶ କରି ସହରକୁ ନିଜ ଅଧୀନକୁ ଆଣିବା ପାଇଁ ଚେଷ୍ଟା କରି ବିଫଳ ହେଲାପରେ ଗ୍ରୀକ୍ ସେନାପତି ଓଡିସିଅସଙ୍କ ନିର୍ଦ୍ଦେଶରେ ଏକ ପ୍ରକାଣ୍ଡ କାଠ ଘୋଡ଼ା ନିର୍ମାଣ କରାଗଲା, ଯେଉଁଥିରେ ନିଜେ ଓଡିସିଅସ ଓ ତାଙ୍କର ବଛା ବଛା ସୈନ୍ୟମାନେ ପଶି ଆତ୍ମଗୋପନ କଲେ । ଅନ୍ୟ ଗ୍ରୀକ୍ ସୈନିକ ମାନେ ଟ୍ରୟ ଛାଡ଼ି ଚାଲି ଯିବାର ଛଳନା କଲେ । କିନ୍ତୁ ସାଇନନ୍ ନାମକ ଜଣେ ସେନାପତିଙ୍କୁ ଛାଡ଼ି ଗଲେ । ସାଇନନ୍ ଟ୍ରୟକୁ ରକ୍ଷା କରିବାରେ ନିୟୋଜିତ ଟ୍ରୋଜାନ୍ ସୈନ୍ୟ ମାନଙ୍କୁ ବୁଝାଇ ଦେଲେ ଯେ ଏହି ଘୋଡ଼ା ଯୁଦ୍ଧର ଦେବୀ ଏଥେନାଙ୍କୁ ଅର୍ଘ୍ୟ ପାଇଁ ଉଦ୍ଦିଷ୍ଟ ଓ ଏହା ଦେବୀଙ୍କୁ ଅର୍ପଣ କଲାପରେ ଟ୍ରୟ ଏକ ଅଭେଦ୍ୟ ଦୁର୍ଗ ପାଲଟି ଯିବ । ଯୁଦ୍ଧରେ ବିଜୟ ଲାଭ କଲେ ବୋଲି ଭାବି ଟ୍ରୋଜାନ ମାନେ ପରମ ଉଲ୍ଲାସରେ ଘୋଡ଼ାଟିକୁ ଟାଣି ଟାଣି ସହର ଭିତରକୁ ନେଇଗଲେ । ମଧ୍ୟ ରାତ୍ରିରେ ଘୋଡ଼ା ଭିତରେ ଲୁଚି ରହିଥିବା ଗ୍ରୀକ୍ ସୈନିକ ବାହାରକୁ ଆସି ସହରର ମୁଖ୍ୟ ଦ୍ଵାର ଖୋଲିଦେଲେ ଏବଂ ପଳାୟନ କରିବାର ଛଳନା କରିଥିବା ଗ୍ରୀକ୍ ସୈନ୍ୟ ସହର ମଧ୍ୟକୁ ପଶି ଅନାୟାସରେ ଟ୍ରୟ ଦଖଲ କରିନେଲେ ! ]


Monday, April 22, 2024

Banswara Marks A New Low

Sandeep Sahu 

April 22, 2024


When I saw those print advertisements with the caption "Will you trust this man?" along with the picture of a bearded Sikh taxi driver in Congress advertisements published in leading English dailies during the campaign for the 1984 elections (which was also the first election I covered as a journalist), I had thought communal rhetoric during electioneering cannot get any lower.

 

But I was wrong!!

 

Prime minister Narendra Modi has left that veiled slur against Sikhs in the 1984 advertisement designed by Rediffusion miles behind with his brazen, outrageous and no-holds-barred tirade against Muslims at a campaign rally in Rajasthan’s Banswara yesterday (April 21). He not only demeaned the exalted office he holds, he also sought to paint the over 20 crores Muslims (we don’t know their exact population since Modi ji has made sure there was no Census in 2021) as enemies of the nation!

 

BJP spokespersons and apologists of the party are trying to explain away the out-and-out communal speech of the Prime Minister by claiming it was directed at ‘infiltrators’ - and not Muslims per se - are simply bluffing. As anyone (anyone who hasn’t joined the burgeoning tribe of Bhakts yet, that is) who has heard the speech can see, what he said was directed at the entire Muslim community in India and not any particular section of it. The reference to Dr Manmohan Singh’s 2006 NDC speech where he had said the ‘the minorities, particularly the Muslim minorities, have the first claim on resources’ and linking it to the promise of redistribution of wealth made in the Congress manifesto for the 2024 polls left no room for any doubt on that score. He insinuated that the Congress, if voted to power, will ‘snatch away’ the gold jewellery (including their ‘mangalsutras’) of Hindu women and distribute them among those who ‘produce more children’ and ‘infiltrators’! Apart from being the crassest case of fear-mongering, it was also a plain lie because the Congress manifesto makes no such promise. All it promises is a ‘nationwide socio economic and caste census’ and ‘strengthening the agenda for affirmative action’ based on the data thrown up by such a census. Talking of redistribution of wealth, was it not Modi himself who promised, in the run up to the 2014 elections, to bring back all the black money stashed away in Swiss banks and having Rs 15 lakh deposited into the account of every Indian’ (something that his able lieutenant Amit Shah sought to pass off as a ‘jumla’ later)? And we have given him two successive mandates for failing to keep that promise. I was as opposed to Dr Manmohan Singh’s 2006 statement as anyone in the BJP. But I am appalled at what the Prime Minister of the country has just said. With this statement, he has stooped to the level of the Akbaruddin Owaisis – not Asaddudin Owaisi, mind you.

 

While the Prime Minister’s statement is cringeworthy, the Election Commission’s timid “No Comments” response raises serious questions about the credibility of the Commission and its commitment to a ‘free and fair’ election. If it has ‘no comments’ to offer – and no plans to act, by extension – on this blatant attempt at communal polarisation, I wonder if there is a need for such a body. If it acts and behaves like a government department, then it might as well be wound up. And if this does not constitute ‘hate speech’ and a violation of the Model Code of Conduct (MCC), which is supposedly in place, I wonder what does?

 

The Congress has been guilty of ‘minority appeasement’ in the past whenever and wherever it has been in power. No questions about that. In fact, the polarisation of the country’s electorate along communal lines and the consolidation of the ‘Hindu vote’ today is a belated collective response to the appeasement policies followed by the Congress and many of its fellow travellers in the INDIA Alliance for decades. The Sangh Parivar and the BJP, its political offshoot have been harping on this theme for as long as they have existed. But it is only in the last few decades that it has started paying political dividends. If Atal Bihari Vajpayee and Lal Krishna Advani laid the foundation for the Hindu vote, Narendra Modi has built a whole skyscraper on it! But unless the people of India – the vast majority of them Hindus – stop in their tracks and do a course correction, they would have prepared the ground, unknown to themselves, for civil war and another vivisection of the country!