ସନ୍ଦୀପ ସାହୁ
ରେଭେନ୍ସା କଲେଜରେ ପଢ଼ିଥିବା ଭାଇ ଭଉଣୀମାନେ ତାଙ୍କ ପ୍ରିୟ ଅନୁଷ୍ଠାନର ନାମ ପରିବର୍ତ୍ତନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏଭଳି ଉଦ୍ୟମରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଦାବି କରୁଛନ୍ତି । ସେମାନଙ୍କ ସ୍ୱର ଆହୁରି ଶାଣିତ ହେଉ । ମୋ ଭଳି ରେଭେନ୍ସାରେ ପଢ଼ି ନ ଥିବା ଲକ୍ଷ ଲକ୍ଷ ଲୋକ ମଧ୍ୟ ତାଙ୍କ ଦାବିକୁ ନୀରବ ବା ମୁଖର ସମର୍ଥନ କରୁଛନ୍ତି । କିନ୍ତୁ ଲକ୍ଷ୍ୟ କରୁଛି ଯେ ସାମାଜିକ ଗଣମାଧ୍ୟମରେ ରେଭେନ୍ସାରେ ପଢ଼ିଥିବା ଅନେକ ବନ୍ଧୁ ଅକାରଣରେ "ଅଣ ରେଭେନ୍ସାଭିଆନ୍" ମାନଙ୍କ ବିରୁଦ୍ଧରେ ବିଷୋଦଗାର କରୁଛନ୍ତି । କହୁଛନ୍ତି; "ରେଭେନ୍ସାରେ ପଢ଼ି ନ ଥିବା ଲୋକେ ଆମ ଭାବନାକୁ, ଆମ ଭାବାବେଗକୁ ବୁଝି ପାରିବେ ନାହିଁ" । ସେମାନଙ୍କ ପୋଷ୍ଟ ଦେଖିଲେ ମନେ ହେଉଛି ଯେ ସେମାନଙ୍କ ବିଚାରରେ ରେଭେନ୍ସାରେ ପଢ଼ି ନ ଥିବା ସବୁ ଲୋକ ନାମ ପରିବର୍ତ୍ତନକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ସମର୍ଥନ କରୁଛନ୍ତି । ରେଭେନ୍ସାରେ ପଢ଼ି ପାରି ନ ଥିବାର ଅବଶୋଷ, ଗ୍ଲାନି ବା ହୀନମନ୍ୟତା ଯୋଗୁଁ ଅସୂୟାପ୍ରଣୋଦିତ ହୋଇ ଏଭଳି "ଚକ୍ରାନ୍ତ/ଷଡ଼ଯନ୍ତ୍ର" କରିଛନ୍ତି, ସେଥିରେ ସାମିଲ ହୋଇଛନ୍ତି ବା ତାହାର ସମର୍ଥନ କରୁଛନ୍ତି । କିନ୍ତୁ ମୋର ମନେହୁଏ ଏଭଳି ଧାରଣାର କୌଣସି ଭିତ୍ତି ନାହିଁ । କୌଣସି ନିର୍ଦ୍ଦିଷ୍ଟ ରାଜନେତାଙ୍କ କ୍ଷେତ୍ରରେ ଏହା ହୁଏତ ପ୍ରଯୁଜ୍ୟ ହୋଇପାରେ । କିନ୍ତୁ ସଂଖ୍ୟାଧିକ "ଅଣ ରେଭେନ୍ସାଭିଆନ୍" ସରକାରଙ୍କ ନାମ ପରିବର୍ତ୍ତନକୁ ଆଦୌ ସମର୍ଥନ କରନ୍ତି ନାହିଁ ବା ଏ ବାବଦରେ ସେମାନେ ସମ୍ପୂର୍ଣ୍ଣ ବୀତସ୍ପୃହ (ଅର୍ଥାତ୍ ଏହାର ସମର୍ଥନ କି ବିରୋଧ କିଛି ବି କରନ୍ତି ନାହିଁ) । ତେଣୁ ରେଭେନ୍ସାରେ ପଢ଼ିଥିବା ଭାଇ, ଭଉଣୀ ମାନେ ସେମାନଙ୍କୁ ଗାଳି ଦେବାର କୌଣସି କାରଣ ନାହିଁ । ସେମାନେ ଯାହାକୁ ଗାଳି ଦେବା କଥା ନିଶ୍ଚୟ ଦିଅନ୍ତୁ । ଏହା ଯେ ଆମେ ପରାଧୀନ ଥିବା ସମୟର ସବୁ ସନ୍ତକକୁ ଉଚ୍ଛେଦ କରି ସେଗୁଡ଼ିକୁ "ଭାରତୀୟ"/ହିନ୍ଦୁ/ସଂଘ ପରିବାରର ବରେଣ୍ୟ ବ୍ୟକ୍ତି ମାନଙ୍କ ନାମରେ ନାମିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ନୀତିର ଅଂଶ ବିଶେଷ, ସେକଥା ବୁଝନ୍ତୁ (ଯେମିତି ଦିଲ୍ଲୀର ଆଉରଙ୍ଗଜେବ ରୋଡ ହେଲା ଡଃ ଅବଦୁଲ କଲାମ ରୋଡ; ମୁଗଲସରାୟ ଷ୍ଟେସନର ନାଁ ବଦଳି ହେଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍; ଆହ୍ଲାବାଦ ହେଲା ପ୍ରୟାଗ!) ଏବଂ ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । "ଅଣ ରେଭେନ୍ସାଭିଆନ୍" ମାନେ "ଡବଲ ଇଞ୍ଜିନ" ସରକାରଙ୍କର ଏ ଅପରିଣାମଦର୍ଶିତାକୁ ସମର୍ଥନ କରୁଛନ୍ତି ବୋଲି ଧରିନେଇ ସେମାନଙ୍କ ବିରୁଦ୍ଧରେ ଅଯଥାରେ ବିଷୋଦଗାର ନ କରନ୍ତୁ ।
ମୋ ଜେଜେ ବାପା ଓ ବାପା ଉଭୟେ ରେଭେନ୍ସା କଲେଜର ଛାତ୍ର ଥିଲେ । ଜେଜେ ରେଭେନ୍ସାରେ ସେତେବେଳେ ଛାତ୍ର ଥିଲେ (୨୦ ଦଶକରେ) ଯେତେବେଳେ ସେଠି ସ୍ନାତକ ଶିକ୍ଷାର ସୁବିଧା ନ ଥିଲା । ଆଇ ଏ ପାସ କଲାପରେ ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ ପାଟନା ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବାକୁ ପଡ଼ିଥିଲା । ଏବଂ ବାପା ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଲା ବେଳେ ଓଡ଼ିଶାରେ କେବଳ ରେଭେନ୍ସାରେ ହିଁ ଏମ ଏ ଶିକ୍ଷା ଉପଲବ୍ଧ ଥିଲା । ଉଭୟଙ୍କଠାରୁ ରେଭେନ୍ସା କଲେଜ ସମ୍ପର୍କରେ ଅନେକ କଥା ଓ କାହାଣୀ ଶୁଣିଛି । ବାପା ସବୁବେଳେ କହୁଥିଲେ; "ରେଭେନ୍ସା ମାଟି ଏତେ ଉର୍ବର ଯେ ସେଠି ବଳେ ପାଠ ଭଲ ହୁଏ ।" କେନ୍ଦ୍ରାପଡ଼ା କଲେଜରୁ ସ୍ନାତକ ଶିକ୍ଷା ଲାଭ କଲାପରେ ମୋ ପାଖରେ ବି ରେଭେନ୍ସା କଲେଜରେ ପଢ଼ିବାର ବିକଳ୍ପ ଥିଲା । ସେଥିପାଇଁ ଆବଶ୍ୟକ ନମ୍ୱର୍ ମଧ୍ୟ ଥିଲା । କିନ୍ତୁ ମୁଁ ବାଣୀ ବିହାରରେ ପଢିବାକୁ ପସନ୍ଦ କଲି । ଏହାର ଅର୍ଥ ନୁହେଁ ଯେ ରେଭେନ୍ସାର ଗୌରବୋଜ୍ଜ୍ଵଳ ଇତିହାସ ଓ ପରମ୍ପରା ତଥା ଓଡ଼ିଶାର ସାମଗ୍ରିକ ବୌଦ୍ଧିକ, ରାଜନୈତିକ ଉତ୍ତରଣରେ ଏହାର ଭୂମିକା ସମ୍ପର୍କରେ ମୁଁ ଜାଣିନାହିଁ ବା ରେଭେନ୍ସାର ନାମ ପରିବର୍ତ୍ତନକୁ ସମର୍ଥନ କରୁଛି । ଯିଏ ରେଭେନ୍ସାରେ ପଢ଼ିନାହିଁ, ସେ କୋଉଠି ତ ନିଶ୍ଚୟ ପଢ଼ିଛି । ଏବଂ ଯୋଉଠି ପଢ଼ିଛି ସେ ଅନୁଷ୍ଠାନ ସହ ତାର ଭାବାବେଗ ଠିକ୍ ସେମିତି, ଯେମିତି ରେଭେନ୍ସାର ଛାତ୍ର, ଛାତ୍ରୀ ମାନଙ୍କର ତାଙ୍କ ପ୍ରିୟ ଅନୁଷ୍ଠାନ ସହ । (ଯେମିତି ମୋର ମହାରାଜା କୃଷ୍ଣଚନ୍ଦ୍ର (ଏମ କେ ସି) ହାଇସ୍କୁଲ, ମହାରାଜା ପୂର୍ଣ୍ଣଚନ୍ଦ୍ର (ଏମ ପି ସି) କଲେଜ, କେନ୍ଦ୍ରାପଡ଼ା କଲେଜ ଓ ବାଣୀ ବିହାର ସହ ରହିଛି) । ତେଣୁ ସେମାନେ ରେଭେନ୍ସାର ପୂର୍ବତନ ଛାତ୍ର, ଛାତ୍ରୀଙ୍କ ଭାବାବେଗକୁ ଅନୁଭବ କରି ପାରିବେ ନାହିଁ ବା ନାମ ପରିବର୍ତ୍ତନକୁ ସ୍ଵତଃ ସମର୍ଥନ କରିବେ, ଏଭଳି ଧାରଣା ମୋ ବିଚାରରେ ସମ୍ପୂର୍ଣ୍ଣ ଅମୂଳକ । "ରେଭେନ୍ସାଭିଆନ୍" ବନ୍ଧୁମାନଙ୍କୁ ବିନୀତ ଅନୁରୋଧ ସେମାନେ ତାଙ୍କ ପ୍ରିୟ ଅନୁଷ୍ଠାନର ନାମ ପରିବର୍ତ୍ତନ ପାଇଁ ଅଯଥାରେ "ଅଣ ରେଭେନ୍ସାଭିଆନ୍"ଙ୍କୁ ଦାୟୀ ନ କରି ଯେଉଁ ବ୍ୟକ୍ତି, ସଂଗଠନ ଓ ଦଳ ଏଥିପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରନ୍ତୁ । ସେମାନେ ରେଭେନ୍ସାରେ ପଢ଼ି ନ ଥିବା ସବୁ ଲୋକଙ୍କୁ ନିଜ ଶତ୍ରୁ ବୋଲି ବିଚାର ନ କରି ବରଂ ସେମାନଙ୍କର ସମର୍ଥନ ଓ ସହଯୋଗ ଲୋଡ଼ନ୍ତୁ ।
ଶେଷରେ ମୋହନ ମାଝୀ ସରକାରଙ୍କୁ ପଦେ ! ରାଜ୍ୟରେ - ଏବଂ ଆମ ଶିକ୍ଷା ବ୍ୟବସ୍ଥାରେ - ବହୁ ଗୁରୁତର ସମସ୍ୟା ଅସମାହିତ ହୋଇ ରହିଥିଲା ବେଳେ ସେସବୁର ପ୍ରତିକାର ପାଇଁ ଉଦ୍ୟମ କରିବା ବଦଳରେ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ ଏଭଳି ଅହେତୁକ ଜିଦ୍ କାହିଁକି ? ଯଦି ଓଡ଼ିଆ "ଅସ୍ମିତା"ର ସୁରକ୍ଷା ପାଇଁ ଏଭଳି କରୁଛନ୍ତି ତେବେ ଆଗ ଏହାଠାରୁ ଯଥେଷ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଯେଉଁ ସରକାରକୁ "ଅଣ ଓଡ଼ିଆ ସରକାର" ବୋଲି ଆକ୍ଷେପ କରି ବିଜେପି କ୍ଷମତା ହାସଲ କଲା, ସେଇ ସରକାରଙ୍କ ଉଦ୍ୟମ ଫଳରେ ଓଡ଼ିଶାର ନାମ "ଓରିଶା"/"ଉଡ଼ିସା"ରୁ ପରିବର୍ତ୍ତନ ହୋଇ "ଓଡ଼ିଶା" ହେଲା । ମୋହନ ସରକାର ଏବେ ସେଇ କାମକୁ ଆଉ ପାଦେ ଆଗକୁ ବଢ଼େଇ Orissa High Court ର ନାମ ପରିବର୍ତ୍ତନ ହୋଇ କେମିତି Odisha High Court ହେବ, ସେ ଦିଗରେ ଉଦ୍ୟମ କରନ୍ତୁ । ସବୁ ସରକାରୀ କାର୍ଯ୍ୟ କେମିତି ଓଡ଼ିଆ ଭାଷାରେ ହେବ, ସେଥିପାଇଁ ଆରମ୍ଭ କରିଥିବା ନିଜ ଉଦ୍ୟମକୁ ଆହୁରି ତ୍ବରାନ୍ବିତ, ପ୍ରଭାବଶାଳୀ କରନ୍ତୁ । ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ରେଭେନ୍ସାରେ ପଢ଼ିଥିବା ଓ ରେଭେନ୍ସାକୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗକୁ ଅଣଦେଖା କରିବାର ଅପଚେଷ୍ଟା ନ କରନ୍ତୁ ।
ନଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଶାର ତତ୍କାଳୀନ କମିଶନର ଟି ଇ ରେଭେନ୍ସାଙ୍କର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଅନାହାରରେ ମୃତ୍ୟୁ ହୋଇଥିବା ଦର୍ଶାଇ ଯେଉଁମାନେ ଏହି ଐତିହ୍ୟସମ୍ପନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନ ପାଇଁ ଆଗଭର ହୋଇଛନ୍ତି ବା ଏହାକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ମୋର ଗୋଟିଏ ପ୍ରଶ୍ନ । ରେଭେନ୍ସା କଲେଜ ସ୍ଥାପନରେ ଓ ଏହାର ଶୈଶବ କାଳରେ ଆର୍ଥିକ ସମସ୍ୟା ସମେତ ଅନ୍ୟ ବହୁବିଧ ସମସ୍ୟାର ସମାଧାନ ଓ ନିରାକରଣ ଦିଗରେ ତାଙ୍କ ନେତୃତ୍ବ ଓ ନିଷ୍ଠାପର ଉଦ୍ୟମକୁ କେହି ଅସ୍ୱୀକାର କରି ପାରିବେ କି ? ଯେଉଁମାନେ କରିବେ ସେମାନେ ଯେ ଓଡ଼ିଶା ବା ରେଭେନ୍ସାର ଇତିହାସ ସମ୍ପର୍କରେ କିଛି ଜାଣନ୍ତି ନାହିଁ, ଏଥିରେ ସନ୍ଦେହ ନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନ ନେଇ ଥିବାରୁ ତାଙ୍କ ବିରୁଦ୍ଧରେ ପ୍ରଶାସନିକ ବିଫଳତା ବା ଅପରିଣାମଦର୍ଶିତାର ଅଭିଯୋଗ ଅଣା ଯାଇପାରେ । କିନ୍ତୁ ସେ ଜାଣିଶୁଣି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲିଦେଲେ ବୋଲି କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତି କେବେ କହିବ ନାହିଁ । ତେଣୁ ରେଭେନ୍ସା କଲେଜ ଜନ୍ମର ଦେଢ଼ ଶହ ବର୍ଷ ପରେ ଏହାର ମୁଖ୍ୟ ପୁରୋଧାଙ୍କୁ ଏହି "ଅପରାଧ" ପାଇଁ "ଦଣ୍ଡିତ" କରିବା ଏକ ସମ୍ପୂର୍ଣ୍ଣ ଅଯୌକ୍ତିକ ଦାବି । ନେହେରୁଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଭାରତ ୧୯୬୨ "ଯୁଦ୍ଧ"ରେ ଚୀନ ଠାରୁ ଶୋଚନୀୟ ପରାଜୟ ବରଣ କରିବା ସହିତ ହଜାର ହଜାର ବର୍ଗ କିଲୋମିଟର ଅଞ୍ଚଳ ହରାଇ ବସିଲା - ଏକଥା ସର୍ବଜନବିଦିତ । ତେବେ କଣ ଆମେ ସେଥିପାଇଁ ସ୍ଵାଧୀନତା ପ୍ରାପ୍ତି ଓ ଦେଶ ଗଠନରେ ତାଙ୍କର ଅନ୍ୟ ସବୁ ଅବଦାନକୁ ଭୁଲିଯିବା, ଅଣଦେଖା କରିଦେବା ? ଦାବି କରିବା ଯେ ଜୱାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଉ ?
ଆମେମାନେ ଭୁଲିଯିବା ଉଚିତ ନୁହେଁ ଯେ ରେଭେନ୍ସା କଲେଜର ନାମକରଣ ରେଭେନ୍ସା ନିଜେ କରି ନ ଥିଲେ । କଲେଜ ଗଠନ ବେଳେ ଏହାର ନାମ ଥିଲା କଟକ କଲେଜ । ପରବର୍ତ୍ତୀ ସମୟରେ ଏହି କଲେଜର ସ୍ଥାପନା ଓ ଆବଶ୍ୟକ ଭିତ୍ତିଭୂମି ପାଇଁ ୨୦, ୦୦୦ ଟଙ୍କା ଦାନ ଦେଇଥିବା ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ହିଁ ଚାହିଁଥିଲେ ଯେ କଲେଜ ସ୍ଥାପନରେ ରେଭେନ୍ସା ସାହେବଙ୍କ ବ୍ୟକ୍ତିଗତ ନିଷ୍ଠା ଓ ଉଦ୍ୟମକୁ ସମ୍ମାନ ଜଣାଇ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ଥାପିତ ଏହି ପ୍ରଥମ ଅନୁଷ୍ଠାନକୁ ତାଙ୍କରି ନାମରେ ନାମିତ କରାଯାଉ । ଏବଂ ମହାରାଜାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏହାର ନାମ ରେଭେନ୍ସା କଲେଜ ରଖା ଯାଇଥିଲା । ତେଣୁ ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବା ପାଇଁ ଦାବି କରୁଥିବା ବ୍ୟକ୍ତି/ଅନୁଷ୍ଠାନ/ଦଳ କେବଳ ଯେ ଏହାର ସ୍ଥାପନରେ ରେଭେନ୍ସାଙ୍କ ଇତିହାସସମ୍ମତ ଭୂମିକାକୁ ଅସ୍ବୀକାର କରୁଛନ୍ତି, ତା ନୁହେଁ । ଅଧିକନ୍ତୁ ଏହି ଅନୁଷ୍ଠାନ ପାଇଁ ଅକୁଣ୍ଠ ଚିତ୍ତରେ ଏକ ମୋଟା ଅଙ୍କ ଦାନ କରିଥିବା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମଧ୍ୟ ଅସ୍ବୀକାର, ଅବଜ୍ଞା ଓ ଅପମାନ କରୁଛନ୍ତି ।
୧୯୦୫ରେ ପ୍ରକାଶିତ ସ୍ପେନର ବିଶିଷ୍ଟ ଦାର୍ଶନିକ ଜର୍ଜ ସାନ୍ତାୟନଙ୍କର ପୁସ୍ତକ "ଦ ଲାଇଫ ଅଫ ରିଜନ୍"ର ସେହି ବହୁ ଚର୍ଚ୍ଚିତ ଧାଡ଼ିଟି ସହ ଏହି ଆଲେଖ ଶେଷ କରୁଛି: "Those who cannot remember history are condemned to repeat it." ଏହାର ଓଡ଼ିଆ ଭାବାର୍ଥ ହେଲା; "ଯେଉଁମାନେ ଇତିହାସକୁ ମନେ ରଖନ୍ତି ନାହିଁ ସେମାନେ ଇତିହାସର ଭୁଲକୁ ଦୋହରାନ୍ତି" !!